ଭାସୁଛି ମାୟାନଗରୀ: କୋଠା ଭୁଶୁଡ଼ି ୨୩ ଜଣଙ୍କ ମୃତ୍ୟୁ
ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଘର ଭୁଶୁଡ଼ି ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଚେମ୍ବୁରରେ କୋଠା ଭଶୁଡି ୧୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ବିକ୍ରୋଲିରେ ୬ ଜଣ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ଚେମ୍ବୁରରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ରବିବାର ସକାଳେ ୧୧ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ଏବେମୃତ୍ୟୁସଂଖ୍ୟା ୧୭ରେ ପହଁଚିଛି । ସେହିପରି ବିକ୍ରୋଲିରେ କାନ୍ଥ ପଡି ୬ ଜଣଙ୍କ ପ୍ରାଣହାନୀ ଘଟିଛି ।
ଶନିବାର ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ଯାହା ଛାଡିବାର ନାଁ ନେଉନାହିଁ । ସହରରେ ଦୀର୍ଘ ସମୟର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ ଠପ୍ ହୋଇପଡିଛି । ବର୍ଷା ଯୋଗୁ ଟ୍ରେନ୍ ଚଳାଚଳ ବିଳମ୍ବ ହେବା ସହିତ ମୁମ୍ବାଇର ବସ୍ ରୁଟରେ ଡାଇଭର୍ସନ ମଧ୍ୟ ହୋଇଛି। ସେଣ୍ଟ୍ରାଲ୍ ମେନ୍ ଲାଇନ୍ ଏବଂ ହାରବର୍ ଲାଇନ ଉପରେ ସ୍ଥାନୀୟ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଦାଦର, ପାରେଲ, କୁର୍ଲା, ଚୁନାଭଟ୍ଟୀ, ୱାଡାଲା ଏବଂ ତିଲକ ନଗରରେ ରେଳ ଟ୍ରାକ୍ ଉପରେ ପାଣି ଜମିି ରହିଛି। ଏହି କାରଣରୁ ଅନେକ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଲୋକଙ୍କ ଘର ଭିତରେ ରଖାଯାଇଥିବା ଜରୁରୀ ଜିନିଷ ମଧ୍ୟ ପାଣିରେ ଭାସୁଥିବା ନଜର ଆସିଛି ।
ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସମବେଦନା ପ୍ରକାଶ କରିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ‘ମୁମ୍ବାଇର ଚେମ୍ବୁର ଏବଂ ବିକ୍ରୋଲି ଅଞ୍ଚଳରେ ଘର ଭୁଶୁଡ଼ି ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।’
Powered by Froala Editor