ନାଲ୍କୋ କାର୍ଯ୍ୟାଳୟରେ ଅତର୍କିତ ଚଢ଼ଉ, ଘଟଣାର ତଦନ୍ତ ଜାରି ରଖିଛି ସିବିଆଇ

ଭୁବନେଶ୍ବର : ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇ ହୋଇଥିବା ଅଭିଯୋଗ ପରେ ସିବିଆଇ ମଙ୍ଗଳବାର ଭୁବନେଶ୍ବରସ୍ଥ ନାଲ୍କୋ କାର୍ଯ୍ୟାଳୟରେ ଅତର୍କିତ ଚଢ଼ଉ କରିଛି। ଏହି ଠକେଇରେ ଦଲାଲଙ୍କ ସହିତ କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରିଛି। ସିବିଆଇ ଚଢ଼ଉ ଖବର ପାଇବା ପରେ ସମ୍ପୃକ୍ତ ଦଲାଲମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ସନ୍ଦେହରେ ଥିବା କେତେକ କର୍ମଚାରୀଙ୍କୁ ସିବିଆଇ ଦଳ ଜେରା କରିଛନ୍ତି। ଏହି ଠକେଇର ଚେର ପାଇବା ଲାଗି ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି। ଚଢ଼ଉ ସମୟରେ ସିବିଆଇ ନାଲ୍କୋ କାର୍ଯ୍ୟାଳୟରୁ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଛି। ତେବେ ଏ ସମ୍ପର୍କରେ ନାଲ୍କୋ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି ଯେ, ସିବିଆଇ ଯାଞ୍ଚ କରିବା ସ୍ବାଗତଯୋଗ୍ୟ। କାର୍ଯ୍ୟାଳୟକୁ ଜଣାଇବା ପରେ ସିବିଆଇ ଦଳ ଯାଞ୍ଚ ଲାଗି ଆସିଥିଲେ। ସେପରି କୌଣସି କାଗଜପତ୍ର ତଦନ୍ତକାରୀ ସଂସ୍ଥା ଜବତ କରିନାହିଁ ବୋଲି ନାଲ୍କୋ ସ୍ପଷ୍ଟୀକରଣ ଦେଇଛି।
ସୂଚନାଯୋଗ୍ୟ, ନାଲ୍କୋରେ ଚାକିରି କରାଇଦେବା ନାଁରେ ଏକାଧିକ ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଥିବା ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ସକାଳେ ସିବିଆଇର ୨ଟି ଦଳ ହଠାତ୍ ନାଲ୍କୋରେ ପହଞ୍ଚି ତନାଘନା କରିଥିଲା।
Powered by Froala Editor