ପୁଲିସ୍ ଏସ୍ଆଇ ପରୀକ୍ଷା ଜାତିଆତି ଘଟଣାରେ ୧୧୯ ଗିରଫ

ବ୍ରହ୍ମପୁର :ପୁଲିସ୍ ଏସ୍ଆଇ ପରୀକ୍ଷାରେ ଜାତିଆତି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୧୭ ପରୀକ୍ଷାର୍ଥୀଙ୍କ ସହ ଦୁଇ ଦଲାଲଙ୍କୁ ବ୍ରହ୍ମପୁର ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି। ରାତିସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୁଲିସ୍ ଜେରା କରିବା ପରେ ୧୧୯ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ପ୍ରତି ପରୀକ୍ଷାର୍ଥୀଙ୍କ ସହ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ୧୧୯ ଜଣ ଧରାପଡିଥିଲେ। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ରେ ବ୍ରହ୍ମପୁର ପୁଲିସ୍ ଅଭିଯୁକ୍ତକୁ ଧରିଥିଲା।
ସୂଚନା ମୂତାବକ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ପକ୍ଷରୁ ପରିଚାଳିତ ମିଳିତ ପୁଲିସ ସେବା ପରୀକ୍ଷା (ସିପିଏସଇ)-୨୦୨୪ ପାଇଁ ଲିଖିତ ଏସ୍ଆଇ (ସବ୍ଇନ୍ସପେକ୍ଟର) ପରୀକ୍ଷା ଆସନ୍ତା ଅକ୍ଟୋବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବାର ଥିଲା। ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କ ନିମନ୍ତେ ପ୍ରବେଶପତ୍ର ମଧ୍ୟ ଜାରି କରାଯାଇସାରିଛି। ଏହି ପରୀକ୍ଷା ପୂର୍ବରୁ ଏକ ଘରୋଇ ସଂସ୍ଥା ଶତାଧିକ ଆଶାୟୀଙ୍କୁ ହାଇଦ୍ରାବାଦ ନେଇ ସ୍ବତନ୍ତ୍ର କୋଚିଂ ଦେବା ସହ ପ୍ରତ୍ୟେକ ପ୍ରାର୍ଥୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଆଦାୟ ପାଇଁ ଯୋଜନା ହୋଇଥିଲା।
ସେହିକ୍ରମରେ ବିଭିନ୍ନ ଜିଲାର ଶହେରୁ ଅଧିକ ଆଶାୟୀ ପ୍ରାର୍ଥୀ ସୋମବାର ସନ୍ଧ୍ୟାରେ ୩ଟି ଘରୋଇ ବସରେ ବ୍ରହ୍ମପୁର ଦେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲେ। ଏହି ଖବର ଓଡ଼ିଶା ପୁଲିସ ନିକଟରେ ପହଞ୍ଚିଥିଲା। ପରୀକ୍ଷାର୍ଥୀଙ୍କୁ କାବୁ କରିବାକୁ ପୁଲିସ ମୁଖ୍ୟାଳୟରୁ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ହୋଇଥିଲା। ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା.ସର୍ବଣା ବିବକେ ଏମଙ୍କ ନେତୃତ୍ୱରେ ବ୍ରହ୍ମପୁରର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ମଙ୍ଗଳବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଠାରେ ୧୦୦ରୁ ଉର୍ଦ୍ଧ୍ବ ଏସ୍ଆଇ ଆଶାୟୀ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ୩ ବସକୁ ଅଟକାଇଥିଲେ।ବସ୍ ସହ ସମସ୍ତ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ଆମ୍ବପୁଆସ୍ଥିତ ରିଜର୍ଭ ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଥିଲା।
Powered by Froala Editor