ତାମିଲନାଡୁ ଦଳାଚକଟା ଘଟଣା : ରିପୋର୍ଟ ମାଗିଲା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ତାମିଲନାଡୁ କରୁରରେ ଦଳାଚକଟା ଘଟଣାରେ ଟିଭିକେ କରୁର ପଶ୍ଚିମ ଜିଲ୍ଲା ମୁଖ୍ୟ ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁଖ୍ୟ ସମ୍ପାଦକଙ୍କ ସହ ଆଉ ୨ଜଣଙ୍କ ବିରୋଧରେ ମାମଲା ହୋଇଛି ।
ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଦଳାଚକଟା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । କରୁର ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଏହି ଭୟଙ୍କର ଦଳାଚକଟା ହୋଇଥିଲା । ସେତେବେଳେ ଜନସମାବେଶକୁ ବସ୍ ଉପରେ ଥାଇ ଭାଷଣ ଦେଉଥିଲେ ବିଜୟ । ଯିଏ ଜନତାଙ୍କ ଦାୟିତ୍ବ ନେବାକୁ ମଞ୍ଚ ଉପରେ କହୁଥିଲେ, ତାଙ୍କରି ଆଖି ସାମ୍ନାରେ ମୃତ୍ୟୁ ରଚିଥିଲା ଆତଙ୍କ । ରାଲି ସମୟରେ ହୋଇଥିବା ଦଳାଚକଟା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ତାମିଲନାଡୁ ସରକାରଙ୍କଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି।
ବିଜୟ TVK ଦଳ ଗଠନ କରିଛନ୍ତି, ଯାହା ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି । ଶନିବାର ରାଲିରେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ଅଭିଯୋଗ ହେଉଛି। ତେବେ କେଉଁ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
କୁହାଯାଉଛି, କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟର ୫-୬ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଏଥିପାଇଁ ଅହେତୁକ ଜନସମାଗମ ହୋଇଥିଲା । ଯାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।
ସେହିପରି ତାମିଲନାଡୁ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Powered by Froala Editor