ସଭାସ୍ଥଳ ପ୍ରସ୍ତୁତ, ଆଜି ଝାରସୁଗୁଡ଼ା ଆସୁଛନ୍ତି ମୋଦୀ
ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲି ସଭାସ୍ଥଳ ପ୍ରସ୍ତୁତ। ବିଜେପି ଶିବିର ଅପେକ୍ଷାରତ। ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ। ଶନିବାର ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବାହ୍ଣ ୧୧ଟାରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ପାଖାପାଖି ୪ କିଲୋମିଟର ରୋଡ୍ ଶୋ’ କରି ଅମଲିପାଲି ସମାବେଶ ସ୍ଥଳରେ ପହଞ୍ଚିବେ। ରୋଡ୍ ଶୋ’ରେ ୨୫ଟି ସମ୍ବଲପୁରୀ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ। ପ୍ରଧାନମନ୍ତ୍ରୀ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟାର ଏହି କାର୍ଯ୍ୟକ୍ରମରେ ଯୁବ ସମାବେଶକୁ ସମ୍ବୋଧନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ାରେ ଅଛନ୍ତି। ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେଠାରେ ରହିବା କାର୍ଯ୍ୟକ୍ରମ ଅଛି। ଝାରସୁଗୁଡ଼ାରେ ରହି ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରୁୁଛନ୍ତି। ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି।
Powered by Froala Editor