କୂଅରେ ଖସିପଡ଼ି ୧୧ ମୃତ
ଭୋପାଳ: ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ କୂଅରେ ପଡ଼ିଯାଇଥିବା ଜଣେ ବାଳକକୁ ବଞ୍ଚାଇବାକୁ ଯାଇ ୩୦ ଜଣ ଗ୍ରାମବାସୀ ଖସିପଡ଼ିଛନ୍ତି । ଏଥିରେ ୧୧ ଜଣଙ୍କ ମୃତୁ୍ୟ ଘଟିଛି । ଅନ୍ୟ ୧୯ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ନିୟୋଜିତ କରାଯାଇଥିଲା । ଜିଲ୍ଲାର ଗଞ୍ଜ ବସୋଦା ଥାନା ଅନ୍ତର୍ଗତ ଲାଲପଥର ଅଞ୍ଚଳରେ ଗୁରୁବାର ରାତି ୯ଟା ବେଳେ ଏହି ଅଘଟଣ ଘଟିଥିଲା । ସୂଚନା ଅନୁସାରେ ରବି ଅହିରୱାର ନାମକ ଜଣେ ୧୪ ବର୍ଷୀୟ ବାଳକ ସେହି କୂଅରୁ ପାଣି କାଢ଼ୁଥିବା ବେଳେ ଖସି ପଡ଼ିଥିଲା । ତାକୁ ବଞ୍ଚାଇବାକୁ ଲୋକମାନେ କୂଅ ଟିକଟରେ ରୁଣ୍ଡ ହୋଇଯାଇଥିଲେ । କିଛି ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା ବେଳେ ଆଉ କିଛି କୂଅ ନିକଟରେ ଠିଆ ହୋଇ ତାହା ଦେଖୁଥିଲେ । କିନ୍ତୁ ଭାର ସମ୍ଭାଳି ନ ପାରି ହଠାତ କୂଅ ଦବି ଯାଇଥିଲା । ଫଳରେ ସେଠାରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ଓ ଦେଖୁଥିବା ସବୁ ଲୋକ କୂଅ ଭିତରକୁ ଖସି ପଡ଼ିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଳେ । କିନ୍ତୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ନିୟୋଜିତ ଥିବା ଏକ ଟ୍ରାକ୍ଟର ଦବି ଯାଇଥିଲା ଏବଂ ସେଥିରେ ଥିବା ୪ ଜଣ ପୁଲିସ କର୍ମଚାରୀ ମଧ୍ୟ କୂଅ ଭିତରକୁ ଖସି ପଡ଼ିଥିଲେ । କୂଅର ଗଭୀର ପ୍ରାୟ ୫୦ ଫୁଟ ହେବ ଏବଂ ସେଥିରେ ୨୦ ଫୁଟ ଉଚ୍ଚରେ ପାଣି ରହିଥିଲା । ଏ ସମ୍ପର୍କରେ ଖବର ପାଇ ଉଭୟ ଏନଡିଆରଏଫ ଓ ଏସଡିଆରଏଫ ଟିମ ସେଠାରେ ପହଞ୍ଚି କୂଅ ଭିତରେ ପଡ଼ିଯାଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । ସେମାନେ ଜଣ ଜଣ କରି ୧୯ ଜଣଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ଏହା ପରେ ଅବଶିଷ୍ଟ ନିଖୋଜ ଲୋକଙ୍କ ତଲାସୀ ଆରମ୍ଭ କରାଯାଇଥିଲା । ତେବେ ଉଦ୍ଧାରକାରୀ ଦଳ ଅକ୍ଳାନ୍ତ ପରିଶ୍ରମ କରିବା ପରେ ଜଣ ଜଣ କରି ୧୧ ଜଣଙ୍କ ମୃତଦେହ କୂଅ ମଧ୍ୟରୁ ବାହାର କରିଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ନିଦେ୍ର୍ଧଶରେ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor