ବିକ୍ରି ହେଲା ମାଲ୍ୟାଙ୍କ ସମ୍ପତ୍ତି
ନୂଆଦିଲ୍ଲୀ : କିଙ୍ଗଫିସର ଏୟାରଲାଇନ୍ସ ମୁଖ୍ୟ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଋଣ ଠକେଇ ମାମଲାରେ ବ୍ୟାଙ୍କଗୁଡ଼ିକ ୭୯୨ କୋଟି ଟଙ୍କା ଫେରିପାଇଛନ୍ତି । ମାଲ୍ୟାଙ୍କ ଯେଉଁ ସେୟାର ଜବତ କରାଯାଇଥିଲା ତାହାକୁ ବିକ୍ରି କରିବା ପରେ ସେଥିରୁ ମିଳିଥିବା ଟଙ୍କାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ୱାଧୀନ ବ୍ୟାଙ୍କ କନସୋର୍ଟିୟମକୁ ହସ୍ତାନ୍ତର କରିଛି । ମନି ଲଣ୍ଡରିଂ ନିରୋଧୀ ଆଇନ ବଳରେ ମାଲ୍ୟାଙ୍କ ସେୟାର ଓ ଅନ୍ୟାନ୍ୟ ସମ୍ପତ୍ତିକୁ ଇଡି ଜବତ କରିଥିଲା । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଓ ସରକାର ହରାଇଥିବା ୫୮% ଟଙ୍କା ଫେରିପାଇଛନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଛି । ଗତ ମାସରେ ଇଡି ତରଫରୁ ବ୍ୟାଙ୍କଗୁଡ଼ିକୁ ୭,୧୮୧ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ୍ ଚୋକସି କରିଥିବା ଋଣ ଠକେଇର ତଦନ୍ତ କରି ଇଡି ତରଫରୁ ସେମାନଙ୍କ ବହୁ ପ୍ରକାର ସମ୍ପତ୍ତି ଜବତ କରାଯାଇଛି । ସେଗୁଡ଼ିକୁ ବିକ୍ରି କରି ବ୍ୟାଙ୍କଗୁଡ଼ିକୁ ଟଙ୍କା ଫେରସ୍ତ କରାଯାଉଛି । ମାଲ୍ୟା, ନିରବ ଓ ଚୋକସିଙ୍କ ମାମଲାରେ ବ୍ୟାଙ୍କଗୁଡ଼ିକ ଯେଉଁ ଟଙ୍କା ହରାଇଥିଲେ ସେଥି ମଧ୍ୟରୁ ୨୨,୫୮୫.୮୩ କୋଟି ଟଙ୍କା ଫେରିପାଇଛନ୍ତି । ଋଣ ଠକେଇ କରିଥିବା ଅଭିଯୁକ୍ତ ଜବତ ସମ୍ପତ୍ତିକୁ ବିକ୍ରି କରିବା ପରେ ଯେଉଁ ଟଙ୍କା ମିଳୁଛି ତାହାକୁ ବ୍ୟାଙ୍କଗୁଡ଼ିକୁ ଦିଆଯାଉଥିବା ବେଳେ କିଛି ଟଙ୍କା କେନ୍ଦ୍ର ସରକାରଙ୍କ ରାଜକୋଷରେ ଜମା କରାଯାଉଛି । ଏହି ଦୁଇ ମାମଲାରେ ଇଡି ତରଫରୁ ୧୮,୨୧୭.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।
Powered by Froala Editor