ରେଳ ଷ୍ଟେସନରେ ନଜର ରଖିବେ ଶ୍ରମ ଅଧିକାରୀ, କେହି ଦାଦନ ପାଇଁ ନେଉଥିଲେ ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ଶ୍ରମ ବିଭାଗର ଅଧିକାରୀ ରେଳ ଷ୍ଟେସନରେ ନଜର ରଖିବେ। କେହି ଦଲାଲ କିମ୍ବା ବ୍ୟକ୍ତିବିଶେଷ ଲୋକଙ୍କୁ ପ୍ରଭାବିତ କରି ଦାଦନ ଖଟାଇବା ପାଇଁ ନେଉଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାମରେ ଶ୍ରମ ବିଭାଗ ପୁଲିସ ଓ ଜିଲା ପ୍ରଶାସନର ସହାୟତା ନେବ। ରାଜ୍ୟ ସରକାରଙ୍କର ଏପରି ନିର୍ଦେଶ ପରେ ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଟାସ୍କ ଫୋର୍ସର ନିଷ୍ପତ୍ତି ଅନୁସାରେ ଗତ ୨ ତାରିଖରେ ଶ୍ରମ ବିଭାଗର ସଚିବଙ୍କୁ କୁହାଯାଇଛି ଯେ ବହୁସଂଖ୍ୟକ ଶ୍ରମିକ ଠିକାଦାର ବଲାଙ୍ଗିର, କଳାହାଣ୍ଡି, ବରଗଡ଼ ଜିଲାରୁ ଅଧିକସଂଖ୍ୟକ ଲୋକଙ୍କୁ ଚାଲାଣ ହେଉଥିବା ଜଣାପଡ଼ିଛି। ଟ୍ରେନ୍ରେ ସେମାନଙ୍କୁ ଅତ୍ୟନ୍ତ ଅମାନବୀୟ ପରିସ୍ଥିତିରେ ଏବଂ ବେଆଇନ ଭାବେ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଉଛି। ତେଣୁ ଶ୍ରମ ବିଭାଗ ଏସବୁ ରେଳ ଷ୍ଟେସନରେ ବିଶେଷକରି ରାତିରେ କଡ଼ାକଡ଼ି ଯାଞ୍ଚ କରିବା ଆବଶ୍ୟକ ବୋଲି କୁହାଯାଇଛି।
Powered by Froala Editor