ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ : ଆଡ଼ପମଣ୍ଡପ ବିଜେ ପରେ ନୀତିକାନ୍ତିରେ ବିଳମ୍ବରୁ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡ଼ିଛି । ଯେଉଁଥିପାଇଁ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନ ହୋଇ ଆଜିର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଛି । ମିଳିଥିବା ସୂଚନା ମୁତାବକ, ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ସଅଳ ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ଆରମ୍ଭ ହେବାକଥା । ଗତକାଲି ରାତି ୯ଟା ୧୫ ସୁଦ୍ଧା ପହଣ୍ଡି ଶେଷ ହୋଇ ସାରିଥିଲା । କିନ୍ତୁ ରନ୍ଧା କାର୍ଯ୍ୟରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଥିଲା । ପ୍ରାୟ ୪ ଘଣ୍ଟା ବିଳମ୍ବରେ ଅର୍ଥାତ ରାତି ୧ଟା ୧୫ରେ ରୁନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହି ଅନୁସାରେ ଅନ୍ୟାନ୍ୟ ନୀତି ବି ବିଳମ୍ବ ହୋଇଥିଲା । ରାତି ୧ଟା ୫୦ରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ନୀତି ସମ୍ପନ୍ନ ହୋଇଥିଲା । ରାତି ୨ଟାରେ କୋଠ ସୁଆଁସିଆମାନେ ଆଡ଼ପମଣ୍ଡପରୁ ଚାରମାଳ ଫିଟାଇବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ । ରାତି ୩ଟା ୪୦ରେ ଚାରମାଳ ଫିଟା ସାରି କୋଠ ସୁଆଁସିଆଁମାନେ ବାହାରିଥିଲେ । ପରେ ଶ୍ରୀମୁଖ ଖଣ୍ଡୁଆ ବାହାରି ଚକା ପୋଛା ନୀତି ସମ୍ପନ୍ନ ହୋଇଥିଲା । ଭୋର ୪ଟା ୧୦ରେ ସିଂହାସନ ଧୁଆ ହୋଇ ଭୋର ୪ଟା ୨୫ରୁ ମହାସ୍ନାନ ନୀତି ବଢ଼ିଥିଲା । ଭୋର ୪ଟା ୩୫ରେ ମହାସ୍ନାନ ନୀତି ସମ୍ପନ୍ନ ପରେ ରାତି ୫ଟା ୨୦ରେ ବେଶ ନୀତି ଆରମ୍ଭ ହୋଇଥିଲା । ନୀତିକାନ୍ତି ଶେଷ ହେବାରେ ବିଳମ୍ବ ଯୋଗୁ ମହାପ୍ରଭୁ ପହୁଡ଼ ନୀତି ଅନୁଷ୍ଠିତ ହୋଇନଥିଲା । ବିନା ପହୁଡ଼ରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ରଥଯାତ୍ରା ଦିନରୁ ମହାପ୍ରଭୁ ଅନିଦ୍ରା ରହିଥିଲେ । ରଥ ଉପରେ ଠିଆ ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା । ଗତକାଲି ପହଣ୍ଡି ପରେ ମହାପ୍ରଭୁ ବିଶ୍ରାମ ନେଇଥାନ୍ତେ । କିନ୍ତୁ ନୀତି ବିଳମ୍ବ ଯୋଗୁ ମହାପ୍ରଭୁ ରାତିଅନିଦ୍ରା ରହିଛନ୍ତି । ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଣ୍ଡି ପରେ କିଛି ବିବାଦ ଯୋଗୁ ନୀତି ବିଳମ୍ବ ହୋଇଥିବା ଚର୍ଚ୍ଚା ହେଉଛି ।
Powered by Froala Editor