ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ମଙ୍ଗଳବାର ଦିନ ୭୯ ବର୍ଷ ବୟସରେ ପରଲୋକ ଘଟିଛି। ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାମ୍ନାକୁ ଆସିଛି।
ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେ’ ୧୧ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
୧୯୪୬ ଜୁଲାଇ ୨୪ରେ ଉତ୍ତରପ୍ରଦେଶର ବାଗପତରେ ଜନ୍ମଗ୍ରହଣ କରିଥିବା ମଲିକ ୨୦୧୮-୨୦୧୯ ମସିହାରେ ଜମ୍ମୁ-କାଶ୍ମୀର, ୨୦୧୯-୨୦୨୦ରେ ଗୋଆ ଏବଂ ୨୦୨୦-୨୦୨୨ ପର୍ଯ୍ୟନ୍ତ ମେଘାଳୟର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଜମ୍ମୁ-କାଶ୍ମୀର ରାଜ୍ୟପାଳ କାର୍ଯ୍ୟକାଳରେ ଅନୁଚ୍ଛେଦ ୩୭୦ ରଦ୍ଦ ହୋଇଥିଲା। ଏହା ସହ ସେ ୨୦୧୯ ପୁଲଓ୍ଵାମା ଆକ୍ରମଣ ସମୟରେ ଗୁଇନ୍ଦା ବିଫଳତା ଓ ସୁରକ୍ଷା ତ୍ରୁଟି ନେଇ ଗମ୍ଭୀର ଅଭିଯୋଗ ଉଠାଇଥିଲେ।
Powered by Froala Editor