ଚାଲିଗଲେ କନ୍ନୁରର ଦ୍ୱିତୀୟ ଭଗବାନ

କେରଳ କନ୍ନୁରର ଦ୍ୱିତୀୟ ଭଗବାନ ଥିଲେ 'ଦୁଇ ଟଙ୍କିଆ ଡାକ୍ତର' ଏକେ ରାଇରୁ ଗୋପାଳ। ୮୦ ବର୍ଷ ବୟସରେ ଏକେ ରାଇରୁଙ୍କର ପରଲୋକ ହୋଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଡାକ୍ତର ରାଇରୁ ଗୋପାଳଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, 'ଗତ ୫୦ ବର୍ଷ ଧରି ସେ ମାତ୍ର ଦୁଇ ଟଙ୍କାରେ ଲୋକଙ୍କ ଚିକିତ୍ସା କରୁଥିଲେ। ଲୋକଙ୍କ ସେବା ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଗରିବ ରୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଥିଲା।'
ଦୀର୍ଘ ପ୍ରାୟ ୫ ଦଶନ୍ଧିରୁ ଅଧିକ ସମୟ ଧରି ସେ କନ୍ନୁରସ୍ଥିତ ନିଜ ଘରେ ଏକ ଛୋଟ କ୍ଲିନିକ୍ ଚଳାଉଥିଲେ । ସେ ‘ଜନତା ଡାକ୍ତର’ ଭାବେ ଥିଲେ ପରିଚିତ । ସେଠାରେ ଗରିବ, ଅବହେଳିତ ଲୋକଙ୍କର ଚିକିତ୍ସା କରୁଥିଲେ । ରୋଗୀଦେଖା ବାବଦକୁ ମାତ୍ର ୨ ଟଙ୍କା ନେଉଥିଲେ ।
ଗତ କିଛି ବର୍ଷ ହେଲା ସେ ତାଙ୍କର ଫି’କୁ ବଢ଼ାଇ ୪୦-୫୦ ଟଙ୍କା କରିଥିଲେ ତେବେ ତାହା ଅନ୍ୟ କ୍ଲିନିକ୍ ତୁଳନାରେ ଉଲ୍ଲେଖନୀୟ ଭାବେ କମ୍ ଥିଲା । ଖାସ୍ ସେଥିପାଇଁ ସକାଳ ହେବା ପୂର୍ବରୁ ତାଙ୍କ କ୍ଲିନିକ୍ ବାହାରେ ରୋଗୀଙ୍କର ଲାଇନ୍ ଲାଗି ଯାଉଥିଲା । ଦିନସାରା ସେ ୩୦୦ରୁ ଅଧିକ ରୋଗୀଙ୍କୁ ଦେଖୁଥିଲେ ।
ଏପରିକି ଅର୍ଥାଭାବରୁ ଔଷଧ କିଣିବାରେ ଅକ୍ଷମ ଥିବା ଲୋକଙ୍କୁ ମାଗଣାରେ ଔଷଧ ବି ଦେଉଥିଲେ । ତାଙ୍କର ଏହି କର୍ତ୍ତବ୍ୟ ନିଷ୍ଠା ଲାଗି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।
Powered by Froala Editor