ଗୋଟିଏ ବର୍ଷ ଜେଲ ଦଣ୍ଡ ଭୋଗିବେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଘଟଣାରେ ସାଉଥ୍ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ମିଳିଲାନି ଆଶ୍ୱସ୍ତି । ଫଳରେ ଗୋଟିଏ ବର୍ଷ ଜେଲ ଦଣ୍ଡ ଭୋଗିବେ ଏହି ଅଭିନେତ୍ରୀ ଜଣଙ୍କ । ଏନେଇ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି । ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ସାମିଲ ରହିଛନ୍ତି । ଗତ ମାର୍ଚ୍ଚ ୧୦ ତାରିଖରେ କନ୍ନଡ ଅଭିନେତ୍ରୀଙ୍କୁ ବାଙ୍ଗାଲୋର ବିମାନବନ୍ଦରରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ କରାଯାଇଥିଲା । କନ୍ନଡ ଫିଲ୍ମ ‘ମାଣିକ୍ୟ’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ରଣ୍ୟା ରାଓଙ୍କ ବିରୋଧରେ ସୁନା ଚୋରା ଚାଲାଣର ମାମଲା ରୁଜୁ କରାଯାଇଛି । ଗତ ୪ମାସ ଧରି ଚାଲିଥିବା ଏହି ମାମଲାରେ ଅଭିନେତ୍ରୀଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ତାଙ୍କୁ ୧ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ଏହି ଅବଧି ମଧ୍ୟରେ ତିନି ଜଣଙ୍କୁ ଜାମିନ ପାଇଁ ଆବେଦନ କରିବାର ଅଧିକାରରୁ ବଞ୍ଚିତ କରାଯାଇଛି । ରଣ୍ୟା ରାଓଙ୍କ ୧୪.୮କିଲୋ ସୁନା ସହିତ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗିରଫ କରିଥିଲା । ତାଙ୍କର ବାରମ୍ବାର ଅନ୍ତର୍ଜାତୀୟ ଯାତ୍ରା ଯୋଗୁଁ ରଣ୍ୟା ଡିଆରଆଇ ର ନଜରକୁ ଆସିଥିଲେ ।
Powered by Froala Editor