ପାର୍ଟିକୁ ଯାଇଥିଲେ, କୂଅରୁ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ
ଆଇସିଆଇସିଆଇ ଲୋମ୍ବାର୍ଡ ଶାଖା ପରିଚାଳକ ଅଭିଷେକ ବରୁଣ ୩୬ ଘଣ୍ଟା ଧରି ନିଖୋଜ ହୋଇଥିବାର ଖବର ମିଳିଥିଲା । କିନ୍ତୁ ଏବେ ତାଙ୍କର ମୃତଦେହ ବିହାରର ପାଟନାରୁ ଉଦ୍ଧାର ହୋଇଛି। ତାଙ୍କ ମୃତଦେହ ବେଉର ଅଞ୍ଚଳର ଏକ କୂଅରୁ ଉଦ୍ଧାର କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ମୃତଦେହ ଯେଉଁ କୂଅରୁ ମିଳିଥିଲା, ସେହି କୂଅରୁ ତାଙ୍କ ସ୍କୁଟି ଏବଂ ତାଙ୍କ ଚପଲ ମଧ୍ୟ ଉଦ୍ଧାର କରାଯାଇଛି। ଏବେ ବରୁଣଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ତଦନ୍ତ କରୁଛି ପୋଲିସ।
ଅଭିଷେକ ବରୁଣ ପାଟନାର କଙ୍କାରବାଗର ବାସିନ୍ଦା । ଆଇସିଆଇସିଆଇ ଲୋମ୍ବାର୍ଡରେ ସେ ଶାଖା ପରିଚାଳକ ଥିଲେ। ଅଭିଷେକ ବରୁଣ ରବିବାର ରାତିରେ ତାଙ୍କ ପରିବାର ସହିତ ରାମକୃଷ୍ଣ ନଗର ଅଞ୍ଚଳରେ ଏକ ପାର୍ଟିକୁ ଯାଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ଘରକୁ ପଠାଇ ଦେଇଥିଲେ। କିନ୍ତୁ ସେ ନିଜେ ସେଠାରେ ରହିଥିଲେ। ପରେ ଆସିବେ ବୋଲି କହିଥିଲେ। ରାତି ପ୍ରାୟ ୩ଟା ସମୟରେ ଅଭିଷେକ ବରୁଣଙ୍କ ଫୋନ୍ ତାଙ୍କ ସ୍ତ୍ରୀଙ୍କ ପାଖକୁ ଆସିଥିଲା। ଅଭିଷେକ କହିଥିଲେ ଯେ ତାଙ୍କର ଏକ ଦୁର୍ଘଟଣା ଘଟିଛି। ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ, ଦୁର୍ଘଟଣା ବିଷୟରେ ସୂଚନା ଦେବା ପରେ ତାଙ୍କ ମୋବାଇଲ୍ ବନ୍ଦ ହୋଇଯାଇଥିଲା।
ଅଭିଷେକଙ୍କ ପରିବାର କାଙ୍କାରବାଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ, ଯାହା ପରେ ପୋଲିସ ମଧ୍ୟ ଅଭିଷେକଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏବେ ଅଭିଷେକ ବରୁଣଙ୍କ ମୃତଦେହ ବେଉର ଅଞ୍ଚଳର ଏକ କୂଅରୁ ଉଦ୍ଧାର କରାଯାଇଛି। ତାଙ୍କର ମୃତ୍ୟୁ କିପରି ହୋଇଥିଲା? ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ।
Powered by Froala Editor