ଅନଲାଇନ ଟ୍ରେଡିଙ୍ଗ: ୨ ଲକ୍ଷ ୯୦ ହଜାର ଟଙ୍କା ଠକେଇ
ଗୋପାଳପୁର: ଅନଲାଇନ ଟ୍ରେଡିଙ୍ଗ ନାଁରେ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୯୦ ହଜାର ଟଙ୍କା ଠକେଇ ହୋଇଥିବା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ଉକ୍ତ ଥାନା ଅଞ୍ଚଳର ଭାବିନାରାୟଣପୁର ଉତ୍କଳ ନଗରର ସୀତାଂଶୁ ପଣ୍ଡା ବୋଲି ପୁଲିସ ସୂଚନା ଦେଇଛି।
ସୂଚନା ପ୍ରକାରେ, ଭାବିନାରାୟଣପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଅନଲାଇନ ଟ୍ରେଡିଙ୍ଗ ଗେମରେ ଟଙ୍କା ବାନ୍ଧି ବହୁ ଲାଭବାନ ହେଉଥିବା ଜାଣିପାରି, ସୀତାଂଶୁ ପଣ୍ଡା ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପର୍କରେ ଆସି ଅନଲାଇନ ଟ୍ରେଡିଙ୍ଗ ବିଷୟରେ ବୁଝିଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ସହ ଆଲୋଚନା ପରେ ନିଜେ ଏଥିରେ ପଞ୍ଜିକୃତ କରି ୨୦୨୩ ଡିସେମ୍ବର ମାସଠାରୁ ୨୦୨୪ ଫେବୃଆରୀ ୨୮ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୯୦ ହଜାର ଟଙ୍କା ଜମା ଦେଇ ଅନଲାଇନରେ ଗେମ୍ ଖେଳିଥିଲେ। ଏହା ମଧ୍ୟରେ ସୀତାଂଶୁଙ୍କ ଆକାଉଣ୍ଟକୁ କେବଳ ୨୭ ହଜାର ଟଙ୍କା ଆସିଥିଲା। ବଳକା ଟଙ୍କା ନ ମିଳିବାରୁ ପୂର୍ଣ୍ଣଚନ୍ଦ୍ର ତାଙ୍କୁ ଏବଂ ତାଙ୍କ ଟଙ୍କା ବ୍ୟବହାର କରି ତାଙ୍କୁ ଠକେଇ କରିଥିବା ଜାଣି ପାରିଥିଲେ। ଏନେଇ ସୀତାଂଶୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୨୧/୨୫ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
Powered by Froala Editor