ଇଣ୍ଟରସିଟି ଟ୍ରେନରୁ ଖସି ଯବାନ ଗୁରୁତର
କଲ୍ୟାଣସିଂହପୁର: ଟ୍ରେନ୍ରୁ ଖସିପଡ଼ି ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ରାଉରକେଲା-କୋରାପୁଟ ଇଣ୍ଟରସିଟି ଟ୍ରେନରୁ ଖସି ଯବାନ ଶରତ ମାଝୀ(୩୪) ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ରାୟଗଡ଼ାଠାରୁ କୋରାପୁଟ ଯାଇଥିବା କେଆର ଲାଇନର ଭାଲୁମାସ୍କା ଓ ଲେଲିଗୁମ୍ମା ମଧ୍ୟରେ ଟ୍ରାକରେ ଜଣେ ଯବାନ ଖସି ପଡ଼ିଥିବା ନେଇ ରାୟଗଡ଼ା ଆରପିଏଫ ଜେ ସୂର୍ଯ୍ୟନାରାୟଣ, ସିଆରପିଏଫ ବିଜୟୀ ସିଂ ଖବର ପାଇଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚି ରୋଗୀବୁହା ଗାଡ଼ିରେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ମାନସ ତାଣ୍ଡି ପ୍ରାଥମିକ ଚିକିତ୍ସା କରିଥିଲେ। ଯବାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାସହ ଗୋଡ଼ ଓ ଛାତିରେ ମାଡ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ଯବାନ ଶରତ ମାଝୀ ରାଉରକେଲା କୋରାପୁଟ ଇଣ୍ଟରସିଟିରେ କାର୍ଯ୍ୟ ସ୍ଥଳକୁ ଯାଉଥିବାବେଳେ ଲେଲିଗୁମ୍ମା ଓ ଭାଲୁମାସ୍କା ମଝିରେ ଖସି ପଡ଼ିଥିଲେ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ବୋଲି ଜଣାପଡ଼ିଛି। ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିବା ସୂଚନା ମିଳିଛି।
Powered by Froala Editor