ଓଏଏସ ସଂଘ ସ୍ଥଗିତ ରଖିଲା ସମୂହ ଛୁଟି ନିଷ୍ପତ୍ତି

ଭୁବନେଶ୍ବର: ଭୁବନେଶ୍ଵର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରତିବାଦ କରିଛି ରାଜ୍ୟ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ(ଓଏଏସ) ସଂଘ। ଘଟଣାକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ତେବେ ଘଟଣା ପ୍ରତିବାଦରେ ଓଏଏସ ଅଧିକାରୀ ସମୂହ ଛୁଟିରେ ରହିବା ନେଇ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ଥଗିତ କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ସଂକ୍ରାନ୍ତରେ ସଂଘ ସହିତ ଆଲୋଚନା କରିଥିଲେ। ଏହା ପରେ ସଂଘ ନିଜ ନିଷ୍ପତ୍ତି ସ୍ଥଗିତ ରଖିଛି।
ଗତ ସୋମବାର ଘଟିଥିବା ଏହି ଘଟଣାକୁ ନେଇ ସଂଘ ପକ୍ଷରୁ ଅପରାହ୍ନରେ ଜରୁରୀ ବୈଠକ ଡକାଯାଇଥିଲା। ଓଏଏସ ଅଧିକାରୀମାନେ ସମୂହ ଛୁଟିରେ ରହିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ସୋମବାର ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବାବେଳେ ବିଜେପି କର୍ପୋରେଟର ଜୀବନ ରାଉତ, ତାଙ୍କ ସମର୍ଥକମାନଙ୍କ ସହିତ ପହଞ୍ଚି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଜୀବନଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ସାହୁଙ୍କୁ ତଳେ ଘୋଡ଼ାଡ଼ି ଘୋଷାଡ଼ି ନେଇ ଗୋଇଠା ବିଧା ମାରିଥିଲେ। ଏହି ଘଟଣା ପ୍ରତିବାଦରେ ବିଜେଡି କର୍ପୋରେଟର ଏବଂ ନେତାମାନେ କାର୍ଯ୍ୟାଳୟ ସମ୍ମୁଖରେ ଜନପଥ ରାସ୍ତାରୋକୋ କରିବାରୁ ପୁଲିସ ତତ୍ପରତା ଦେଖାଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବିଜେପି କର୍ପୋରେଟର ଜୀବନ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନକୁ ପୁଲିସ ଗିରଫ କରିଥିଲା। ତେବେ ଆଉ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗୁ ହୋଇଥିବା ସୂଚନା ମିଳିଛି।
Powered by Froala Editor