ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ କାର୍ଡ ବାତିଲ

ଭୁବନେଶ୍ବର: ପୂରିଲା କଣ୍ଟ, ଏଥର କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସରକାର। ୨୦୨୪ ଅଗଷ୍ଟ ମାସରୁ ରେସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧି ବାରମ୍ବାର ବଢ଼ୁଥିଲା। ଏଥର କିନ୍ତୁ ଆଉ ସମୟ ଅବଧି ବଢ଼ାଇଲାନି ଖାଦ୍ୟ ଯୋଗାଣ ବିଭାଗ। ଜୁନ ଶେଷ ସୁଦ୍ଧା ୨୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଇ-କେୱାଇସି କରିନଥିବା ହିତାଧିକାରୀଙ୍କୁ ଆଉ ରେସନ ସାମଗ୍ରୀ ମିଳିବନି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ କାର୍ଡ ବାତିଲ କରାଯିବ। ୨୦ ଲକ୍ଷ ୫୮ ହଜାର କାର୍ଡ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ। ଏହି ଅବଧି ମଧ୍ୟରେ ଯେଉଁମାନେ ଆସିବେ ଇ-କେୱାଇସି କରି ସେମାନଙ୍କୁ ରେସନ ଦିଆଯିବ। ଯେଉଁମାନେ ନ ଆସିବେ ସେମାନଙ୍କ କାର୍ଡ ସବୁଦିନ ପାଇଁ ବନ୍ଦ ହେବ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ବାହାରେ ରହୁଥିବା ୩ ଲକ୍ଷ ୬ ହଜାର ହିତାଧିକାରୀ ଇ-କେୱାଇସି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ହେଲେ ଓଡ଼ିଶାରେ ରହୁଥିବା ଲକ୍ଷଲକ୍ଷ ହିତାଧିକାରୀ ଏବେ ବି ଇ-କେୱାଇସି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ଏହା ପଛରେ ଅନେକ କାରଣ ରହିଛି। ଅନେକ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି। ଉପାନ୍ତ ଅଞ୍ଚଳରେ ନେଟୱର୍କ ସମସ୍ୟା ଯୋଗୁଁ ବହୁ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି। ବୟସ୍କ ଓ ଶଯ୍ୟାଶାୟୀଙ୍କ ଇ-କେୱାଇସି ଅପଡେଟରେ ସମସ୍ୟା ରହିଛି। ଦାଦନ ଖଟିବାକୁ ଯାଇ ବାହାରେ ରହୁଥିବା ଶ୍ରମିକ ମଧ୍ୟ ଇ-କେୱାଇସି କରିପାରିନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରବି ଧାନ ସଂଗ୍ରହ ନେଇ ମନ୍ତ୍ରୀ କହିଛନ୍ତି ଯେ, ଧାନକିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ ନେବେ ସରକାର। ବାକି ଥିବା ସମସ୍ତ ଚାଷୀଙ୍କୁ ଆଖି ସ୍କାନ କରିବାକୁ ପରାମର୍ଶ ଦିଆଯାଇଛି। ଆଖି ସ୍କାନ କରିଥିଲେ ପରବର୍ତ୍ତୀ ସମୟରେ ଧାନ ନେବେ ସରକାର। ଅନେକ ଜାଗାରେ ଛତିଶଗଡ଼ ଧାନ ଓଡ଼ିଶାରେ ଜବତ ହୋଇଛି। କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାରୁ ବାହାରୁ ଧାନ ଆସୁଛି।
Powered by Froala Editor