ସେହି ‘୧୧ ଏ ସିଟ୍’ର କାହାଣୀ : ୨୭ ବର୍ଷ ପୂର୍ବରୁ ବି ଏମିତି ଘଟିସାରିଛି...

ଅହମ୍ମଦାବାଦରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ସମେତ ମୋଟ ୨୭୪ ଜଣ ପ୍ରାଣ ହରାଇଛନ୍ତି। ଏୟାରପୋର୍ଟରୁ ଟେକ୍ ଅଫ୍ କରିବାର ମାତ୍ର ୩୦ରୁ ୩୫ ସେକେଣ୍ଡ ଭିତରେ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଏକ ମେଡିକାଲ କଲେଜ ହଷ୍ଟେଲ କୋଠାରେ ଧକ୍କା ହୋଇ ଜଳିଯାଇଥିଲା । ତେବେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ବିଶ୍ବାସ କୁମାର ରମେଶ ଏହି ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। ଉକ୍ତ ଦିନ ରମେଶ ଏୟାର ଇଣ୍ଡିଆ ବିମାନର ୧୧ଏ ନମ୍ବର ସିଟ୍ରେ ବସିଥିଲେ।
ତେବେ ସଂଯୋଗର ପ୍ରସଙ୍ଗ ହେଉଛି ୨୭ ବର୍ଷ ପୂର୍ବେ ଥାଇଲାଣ୍ଡରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଜଣେ ଯାତ୍ରୀ ମଧ୍ୟ ଉକ୍ତ ବିମାନର ୧୧ଏ ନମ୍ବର ସିଟ୍ରେ ବସିଥିଲେ। ଥାଇଲ୍ୟାଣ୍ଡର ଜଣାଶୁଣା ଅଭିନେତା ତଥା ଗାୟକ ରୁଆଙ୍ଗସାକ ଜେମ୍ସ ଲୋୟଚୁସାକ ୧୯୯୮ ମସିହାରେ ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ବଞ୍ଚିଥିଲେ। ସେ ସମୟରେ ସେ ୧୧ଏ ସିଟ୍ରେ ବସିଥିଲେ। ଏହି ଅଦ୍ଭୁତ ସଂଯୋଗ ଶୁଣି ରୁଆଙ୍ଗସାକ ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି।
୧୯୯୮ରେ ୧୪୬ ଯାତ୍ରୀଙ୍କୁ ନେଇ ବ୍ୟାଙ୍କକରୁ ଯାତ୍ରାରମ୍ଭ କରିଥିବା ଥାଇ ଏୟାରୱେଜ୍ର ଏକ ବିମାନ ଥାଇଲାଣ୍ଡର ସୁରତ୍ ଥାନି ସହରରେ ଅବତରଣ ଉଦ୍ୟମ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୧୦୧ ଯାତ୍ରୀ ପ୍ରାଣ ହରାଇଥିଲେ। ତେବେ ୧୧ଏ ନମ୍ବର ସିଟ୍ରେ ବସିଥିବା ୪୭ ବର୍ଷୀୟ ଜେମ୍ସ ରୁଆଙ୍ଗସାକ୍ ଲୟଚୁସାକ୍ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ।
Powered by Froala Editor