୧୩ ଛାତ୍ରଛାତ୍ରୀଙ୍କ ଉପରେ କାର୍ ମଡାଇଦେଲା ନିଶାରେ ଚୁର୍ ଚାଳକ

୧୩ ଛାତ୍ରଛାତ୍ରୀଙ୍କ ଉପରେ କାର ଚଢ଼ାଇଦେଲା ନିଶାସକ୍ତ ଚାଳକ। ମହାରାଷ୍ଟ୍ରର ପୁଣେରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ କାର ଚାଳକ ୧୩ ଜଣଙ୍କ ଉପରେ କାର ଚଢ଼ାଇଦେଇଥିଲେ । ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି, ଯାହାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକମାନେ କାର ଚାଳକକୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସୂଚନା ଅନୁଯାୟୀ, କାର ଚାଳକ ମଦ ନିଶାରେ ଚୁର ଥିଲେ। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଶନିବାର ସନ୍ଧ୍ୟା ସାଢ଼େ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଛାତ୍ରୀମାନେ ମହାରାଷ୍ଟ୍ର ଲୋକସେବା ଆୟୋଗ(ଏମପିଏସସି) ପରୀକ୍ଷା ଆଶାୟୀ ବୋଲି ଜଣାପଡ଼ିଛି। ରାସ୍ତାପାର୍ଶ୍ବରେ ଛାତ୍ରଛାତ୍ରୀମାନେ ଛିଡ଼ା ହୋଇଥିବାବେଳେ ଏକ କାର ସେମାନଙ୍କ ଉପରେ ଚଢ଼ିଯାଉଛି। ଆହତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ସାଞ୍ଚେତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ୯ ଜଣ ଯୋଗେଶ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଘଟାଇଥିବା ଚାଳକ ୨୭ ବର୍ଷୀୟ ଶିବାଜୀ ମୁଲେକୁ ପୁଲିସ ଗିରଫ କରିଛି।
ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ପାଖରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ, ଦେଖିବାକୁ ମିଳୁଛି ଯେ କାର ଡ୍ରାଇଭର ତାଙ୍କ କାର ବୁଲାଇ ଦେଉଛନ୍ତି, କିନ୍ତୁ ସେ କାର ଉପରୁ ନିୟନ୍ତ୍ରଣ ହରାଇ ଦେଉଛନ୍ତି। ଏହା ପରେ, କାରଟି ଦ୍ରୁତ ଗତିରେ ଷ୍ଟଲରେ ଠିଆ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଇଛି।
Powered by Froala Editor