ଜେଲ୍ରୁ ବାହାରି ରାସ୍ତାରେ ସେଲିବ୍ରେସନ, ପୁଣି ଧରିଲା ପୁଲିସ

ଜେଲରୁ ମୁକୁଳିବା ପରେ ରୋଡ୍ ଶୋ’ କରି ଖୁସି ମନାଇଲେ ଗଣଦୁଷ୍କର୍ମ ଅଭିଯୁକ୍ତ। ରାସ୍ତା ସାରା ଘୋ ଘା... ମଜା ମସ୍ତି ସେଲିବ୍ରେସନର ମାହୋଲ... । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ୪ ଅଭିଯୁକ୍ତଙ୍କୁ ପୁନର୍ବାର ଗିରଫ କରିଛି।
ସୂଚନା ଅନୁସାରେ କର୍ଣ୍ଣାଟକର ହଙ୍ଗଲ ଅଞ୍ଚଳରେ ୨୦୨୪ ଜାନୁୟାରୀରେ ଜଣେ ୨୬ ବର୍ଷୀୟୀ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା। ଏହି ଘଟଣାରେ ପୁଲିସ ୧୯ ଜଣଙ୍କୁ ଗିରଫ କରିଥିଲା। ୧୦ ମାସ ତଳେ ୧୨ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା। ଅନ୍ୟ ୭ ଅଭିଯୁକ୍ତଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା। ଜେଲରୁ ବାହାରିବାର ଖୁସି ମନାଇବା ଲାଗି ଅଭିଯୁକ୍ତମାନେ କାର ଏବଂ ବାଇକରେ ରୋଡ୍ ଶୋ’ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସାମିଉଲ୍ଲା ଲାଲାନଭର, ମହମ୍ମଦ ସାଦିକ ଅଗାସିମାନ, ଶୋଏବ ମୁଲ୍ଲା ଏବଂ ରିୟାଜ ସାଭିକେରି। ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ ସେମାନଙ୍କୁ ଖୋଜୁଛି।
ସର୍ତ୍ତମୂଳକ ଜାମିନର ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ସେମାନଙ୍କୁ ପୁଲିସ ହେପାଜତରେ ରଖିଛି । ୨୦ ମେରେ ସେମାନଙ୍କୁ ଜାମିନ ମିଳିବା ପରେ ୨୦ ଜଣ ସମର୍ଥକଙ୍କ ସହ ସେମାନେ ହାଭେରୀ ଉପକାରାଗାରରୁ ଅକ୍କି ଅଲ୍ଲୁର ସହର, ପ୍ରାୟ ୨୫ କିଲୋମିଟର ଯାଏଁ ଶୋଭାଯାତ୍ରା କରି ଯାଇଥିଲେ ।
Powered by Froala Editor