ମା ! ମୁଁ ଚିପ୍ସ ଚୋରି କରିନି... ଲେଖି କୀଟନାଶକ ପିଇଦେଲା ଛାତ୍ର

ସାମାନ୍ୟ କୁରକୁରେ ପ୍ୟାକେଟ୍ ପାଇଁ ଚାଲିଗଲା ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ର । ପିଲାଟି ଚିପ୍ସ ପ୍ୟାକେଟ୍ ଚୋରି କରିଥିବା ନେଇ ଦୋକାନୀ ଅଭିଯୋଗ କରିବା ପରେ ଜୀବନ ହାରିଛି ଜଣେ ୧୨ ବର୍ଷର ବାଳକ ଆଉ ଆତ୍ମହତ୍ୟା ପୂର୍ବରୁ ନିଜ ଖାତାରେ ଲେଖିଛି- ମା ! ମୁଁ ଚିପ୍ସ ଚୋରି କରିନି... ମୁଁ ଚୋର ନୁହେଁ...
ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ପଶ୍ଚିମବଙ୍ଗ ପଶ୍ଚିମ ମେଦିନପୁର ଜିଲ୍ଲାରୁ । ଚିପ୍ସ ଚୋରିର ମିଥ୍ୟା ଅଭିଯୋଗରେ ଲଜ୍ଜିତ ହୋଇ ପ୍ରାଣ ହରାଇଛି ୭ମ ଶ୍ରେଣୀ ଛାତ୍ର କୃଷ୍ଣେନ୍ଦୁ ଦାସ। କୃଷ୍ଣେନ୍ଦୁ ବକୁଲଦା ଉଚ୍ଚ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢୁଥିଲେ।
ଗତ ରବିବାର ଦିନ କୃଷ୍ଣେନ୍ଦୁ ବଜାର ଦେଇ ଯାଉଥିବା ବେଳେ ଗୋଟେ ମିଠା ଦୋକାନ ଆଗରେ କିଛି ଚିପ୍ସ ପ୍ୟାକେଟ୍ ପଡିଥିଲା । ସମ୍ଭବତ ପବନରେ ଉଡି ପଡିଥାଇପାରେ ବୋଲି ସ୍ଥାନୀୟ ଅନ୍ୟ ଦୋକାନୀମାନେ କହୁଛନ୍ତି । ପିଲାଟି ରାସ୍ତାରେ ଯାଉଥିବା ବେଳେ ସେହି ଚିପ୍ସ ପ୍ୟାକେଟ ଦେଖି ଲୋଭରେ ଉଠାଇ ନେଇଥିଲା । ଠିକ୍ ସେହି ସମୟରେ ମିଠା ଦୋକାନୀ ଶୁଭଙ୍କର ଦିକ୍ଷୀତ ପିଲାଟି ତା ଦୋକାନରୁ ଚିପ୍ସ ଚୋରି କରି ନେଇଯାଇଥିବା ଅଭିଯୋଗ କରିବା ସହ ପିଲାକୁ ରାସ୍ତାରେ ମାଡ ମାରି ତାକୁ ଦୋକାନ ଆଗରେ ଉଠବସ୍ କରିଥିଲା । ପରେ ପିଲାଟିର ମାଆକୁ ମଧ୍ୟ ଡାକି କହିବା ପରେ ମାଆ ଜଣଙ୍କ ମଧ୍ୟ ପିଲାକୁ ପିଟିଥିଲେ । ଏହା କୃଷ୍ଣେନ୍ଦୁଙ୍କୁ ବାଧିଥିଲା।
ଘରକୁ ଆସିବା ପରେ ପିଲାଟି ଦୁଃଖରେ ଭାଙ୍ଗି ପଡି ନିଜ ସ୍କୁଲ ଖାତାରେ ‘ମାଆ ! ମୁଁ ଚିପ୍ସ ଚୋରି କରିନି... ମୁଁ ଚୋର ନୁହେଁ...’ ଲେଖି ରାତିରେ କୀଟନାଶକ ପିଇଦେଇଥିଲେ ଆଉ ସକାଳେ ଡାକ୍ତର ପିଲାକୁ ମୃତ ଘୋଷଣା କରିଥିଲେ ।
Powered by Froala Editor