ସୁପ୍ରିମକୋର୍ଟଙ୍କ ଗୁରତ୍ଵପୂର୍ଣ୍ଣ ରାୟ, ୩ୟ ସନ୍ତାନ ପାଇଁ ବି ମହିଳା ନେଇପାରିବେ ଛୁଟି

ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳରେ ମହିଳାମାନଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଶନିବାର ଏକ ଗୁରତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ମାତୃତ୍ଵ ଛୁଟି ମହିଳାମାନଙ୍କର ଏକ ସାମ୍ବିଧାନିକ ଅଧିକାର। ଏପରି କି ୩ୟ ସନ୍ତାନ ପାଇଁ ବି ମହିଳା ଏହି ଛୁଟି ନେଇପାରିବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତୃତୀୟ ସନ୍ତାନ ପାଇଁ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ମାତୃତ୍ଵ ଛୁଟି ଦିଆଯାଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରି, ମାତୃତ୍ଵ ଛୁଟି କେବଳ ଏକ ସାମାଜିକ ନ୍ୟାୟ ନୁହେଁ, ବରଂ ଏକ ସାମ୍ବିଧାନିକ ଗ୍ୟାରେଣ୍ଟି ବୋଲି ସୁପ୍ରିମକୋର୍ଟ କହିଛନ୍ତି।ବିଚାରପତି ଅଭୟ ଏସ. ଓକା ଏବଂ ଉଜ୍ଜଳ ଭୁୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ, କାର୍ଯ୍ୟରତ ମହିଳାମାନଙ୍କ ସ୍ଵାସ୍ଥ୍ୟ ଏବଂ ମର୍ଯ୍ୟାଦା ରକ୍ଷା କରିବା ଦିଗରେ ମାତୃତ୍ଵ ଛୁଟି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ ସମୟରେ କାର୍ଯ୍ୟଶକ୍ତିର ଏକ ବଡ଼ ଅଂଶ ହେଉଛନ୍ତି ମହିଳା। ସେମାନଙ୍କୁ ସମ୍ମାନ ଏବଂ ମର୍ଯ୍ୟାଦାର ସହିତ ବ୍ୟବହାର କରାଯିବା ଜରୁରୀ। ମହିଳା ନିଜର ଶକ୍ତିକୁ ଫେରିପାଇବା, ନିଜ ସନ୍ତାନର ଲାଳନପାଳନ କରିବା ଏବଂ କାର୍ଯ୍ୟ ଦକ୍ଷତା ବଜାୟ ରଖିବା ଦିଗରେ ମାତୃତ୍ଵ ଛୁଟି ସାହାଯ୍ୟ କରିଥାଏ। ମହିଳାଙ୍କର ଉଭୟ ଶାରିରୀକ ଏବଂ ମାନସିକ ସ୍ଥିତିକୁ ଗର୍ଭଧାରଣ ପ୍ରଭାବିତ କରିଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦେବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।
Powered by Froala Editor