୬ଟି କୀର୍ତ୍ତି ଚକ୍ର, ୩୩ଟି ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ୪ଟି ମରଣୋତ୍ତର ସମେତ ୬ଟି କୀର୍ତ୍ତି ଚକ୍ର ଏବଂ ୭ଟି ମରଣୋତ୍ତର ସମେତ ୩୩ଟି ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ରାଇଫଲ ମ୍ୟାନ ରବି କୁମାର, କଲୋନେଲ ମନପ୍ରୀତ ସିଂହ, ଡିଏସପି ହିମାୟୁନ ମୁଜାମ୍ମିଲ ଭଟ୍ଟ ଓ ନାୟକ ଦିଲୱାର ଖାନଙ୍କୁ ମରଣୋତ୍ତର ଭାବେ କୀର୍ତ୍ତି ଚକ୍ର ପ୍ରଦାନ କରାଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। ଏବଂ କର୍ତ୍ତବ୍ୟ ପାଳନ ସମୟରେ ଅସାଧାରଣ ସାହସିକତା, ସମର୍ପଣ ଏବଂ ବଳିଦାନ ଦେଇଥିବା ଯବାନମାନଙ୍କୁ ସମ୍ମାନ ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଭବନର ଗଣତତନ୍ତ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ।
ମରାଠା ଲାଇଟ୍ ଇନଫାଣ୍ଟ୍ରିର ମେଜର ମଲ୍ଲ ରାମ ଗୋପାଳ ନାଇଡୁ ଏବଂ ପଞ୍ଜାବ ରେଜିମେଣ୍ଟର ମେଜର ମନଜିତଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ମେଜର ଆଶିଷ ଧୋଞ୍ଚକ୍, ସିପାହୀ ପ୍ରଦୀପ ସିଂ, ହାବିଲଦାର ରୋହିତ କୁମାର, ପୁଲିସ ଅଧିକାରୀ ପୱନ କୁମାର, କନଷ୍ଟେବଳ ଦେବାନ ସି, ବିଜୟନ କୁଟ୍ଟି ଜି ଏବଂ କ୍ୟାପଟେନ ଦୀପକ ସିଂଙ୍କ ସମେତ ସାତ ଜଣ ବୀରଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ଅସାଧାରଣ ସାହସ ଏବଂ ବଳିଦାନ ପାଇଁ ମରଣୋତ୍ତର ଭାବେ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି।
Powered by Froala Editor