୧୦ ଜିଲ୍ଲାରେ ଟିକା ବନ୍ଦ
ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସମୟରେ ଟିକା ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହେଉଛି । ଏବେ ପୁଣି ଥରେ ରାଜ୍ୟରେ ଟିକା ଅଭାବ ସମସ୍ୟା ଦେଖାଦେଇଛି । ତେବେ ଟିକା ଅଭାବ ଯୋଗୁଁ ଆଜି ୧୦ଟି ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଇଥିବା ଜଣାଯାଇଛି । ଗୋଟିଏ ପଟେ ଟିକା ନେବା ପାଇଁ କେନ୍ଦ୍ର ସରକାର ସମସ୍ତଙ୍କୁ ଅନୁରୋଧ କରିବା ସହ ସଚେତନ କରୁଥିବାବେଳେ ଅନ୍ୟପଟେ ଟିକା ଅଭାବ ଭିନ୍ନ ଏକ ପରିସ୍ଥିତି ସୃଷ୍ଟି କରିଛି ।
ଆଜି ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ରାଜ୍ୟରେ ମାତ୍ର ୩୦୮ ଟିକାକେନ୍ଦ୍ରରେ ଟିକା ଦିଆଯିବ । ୫୯ ହଜାର ୯୨୦ କୋଭିସିଲ୍ଡ ଟିକା ଓ ୩ ଲକ୍ଷ ୯୩ ହଜାର ୧୦ କୋଭାକ୍ସିନ୍ ଟିକା ମହଜୁଦ ରହିଛି । ଗତକାଲି ଲକ୍ଷେ ତଳେ ରହିଥିଲା ଟିକାକରଣ । ୫୪୫ ଟିକାକେନ୍ଦ୍ରରେ ୯୩ ହଜାର ୩୩୪ ଟିକା ଦିଆଯାଇଛି । ଏଥିରେ ୧୮-୪୪ବର୍ଗର ୪୧,୬୩୬ ପ୍ରଥମ ଓ ୩୪୨୧ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିପରି ୪୫ ବର୍ଷରୁ ଅଧିକ ୧୧,୬୭୩ ପ୍ରଥମ ଓ ୩୫,୮୪୨ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏ ପର୍ୟ୍ୟନ୍ତ ୧ କୋଟି ୩୨ଲକ୍ଷ ୭୨ହଜାର ୬୩୮ ଡୋଜ୍ ଟିକା ଦିଆଗଲାଣି । ରାଜ୍ୟରେ ଏବେ ୫୯,୯୨୦ ଡୋଜ୍ କୋଭିସିଲ୍ଡ ଓ ୩,୯୩,୦୧୦ ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି ।
ଅପରପକ୍ଷେ ଗତକାଲି ସକାଳେ ୧.୭୩ଲକ୍ଷ କୋଭାକ୍ସିନ୍ ଟିକା ରାଜ୍ୟରେ ଆସି ପହଞ୍ଚିଛି । ଏହାକୁ ଗଞ୍ଜାମ ଜିଲ୍ଲାକୁ ପଠାଯିବ। ଭୁବନେଶ୍ବର ବାଦ ରାଜ୍ୟରେ ଦ୍ବିତୀୟ ସ୍ଥାନ ଭାବେ ଗଞ୍ଜାମରେ କୋଭାକ୍ସିନ୍ ଟିକା ଦିଆଯାଉଛି । ଆସନ୍ତା ୧୫ ତାରିଖରେ ରାଜ୍ୟକୁ ଆହୁରି ୩ ଲକ୍ଷ ୧୫ହଜାର କୋଭିସିଲ୍ଡ ଟିକା ଆସିବ। ଚଳିତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଯେତିକି ଟିକା ଅନୁମୋଦନ ହୋଇଥିଲା, ତାହାଠାରୁ ଅତିରିକ୍ତ ଦୁଇଲକ୍ଷ ଟିକା ମିଳିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor