ଖାଦ୍ୟ ଅନ୍ୱେଷଣରେ ଆସି ଘର ପୋଡିଦେଲା ହାତୀ
ଭୁବନେଶ୍ୱର : ଏହି ଖବର ସମସ୍ତଙ୍କୁ ନିଶ୍ଚିତ ଭାବେ ଚକିତ କରିଦେବ । ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ହାତୀ ରାତି ଅଧରେ ଜଣଙ୍କ ଘରେ ନିଅାଁ ଲଗାଇବା ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ପଟୁ ପଳାଇ ଆସିଥିବା ୩ ହାତୀ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବଡାମପୁର ଅଂଚଳରେ ଗତ କିଛି ଦିନ ହେଲା ଉପଦ୍ରବ ଚଳାଇଛନ୍ତି । ସେଥିମଧ୍ୟରୁ ଗୋଟିଏ ଦନ୍ତାହାତୀ ଗତକାଲି ମଧ୍ୟରାତି୍ରରେ ଫାଲଝରୀ ଗାଁରେ ପଶିଥିଲା । ଧାନ ଚାଉଳ ବାସ୍ନାରେ ଗ୍ରାମର ସୁରେନ୍ଦ୍ର ମୁର୍ମୁଙ୍କ ଘର ପିଣ୍ଡାକୁ ଶୁଣ୍ଢ ବଢ଼ାଇଥିଲା ଦନ୍ତା । ତେବେ ଘର ପିଣ୍ଡାରେ ଥିବା ଚୁଲିରେ ଅଙ୍ଗାର ନିଅାଁଥିବାରୁ ଖାଦ୍ୟ ଖାଇବାରେ ସମସ୍ୟା ହୋଇଥିଲା । ଚୁଲି ନିଅାଁ ଲିଭାଇବା ପାଇଁ ଦନ୍ତା ଘର ଚାଳକୁ ଓଲାରି ଚୁଲିକୁ ଢ଼ାଙ୍କିବାକୁ ଚେଷ୍ଟା କରିଥିଲା । ହେଲେ ତାହା ବୁମେରାଂ ହୋଇଥିଲା । ଚୁଲିରେ ନଡ଼ା ପଡ଼ିବା ପରେ ନିଅାଁ ଉଠି ଉପରକୁ ଧରିବା ସହ ନିମିଷକେ ମଧ୍ୟରେ ଘରଟି ହୁ ହୁ ହୋଇ ଜଳି ଉଠିଥିଲା । ତେବେ ସୁରେନ୍ଦ୍ରଙ୍କ ପରିବାର ଲୋକେ କୌଣସି ପ୍ରକାର ଜୀବନ ବଞ୍ଚାଇ ଘରୁ ବାହାରି ଆସିଥିଲେ । ଖବର ପାଇ ଦମକଳ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ସୁରେନ୍ଦ୍ରଙ୍କ ଘରଟି ସେତେବେଳକୁ ଜଳପୋଡ଼ି ପାଉଁଶ ହୋଇଯାଇଥିଲା ।
Powered by Froala Editor