୨ ବର୍ଷରେ ଓଡ଼ିଶାରେ ହେବ ଶକ୍ତିପୀଠ କରିଡର୍
ରାଜ୍ୟ ସରକାର ଶକ୍ତିପୀଠ କରିଡ଼ର ମାଧ୍ୟମରେ ଓଡ଼ିଶାର କିଛି ପୁରାତନ ମନ୍ଦିରର ଗୁରୁତ୍ବ ବଢ଼ାଇବାକୁ ଯାଉଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି।
ଚୈତ୍ର ମଙ୍ଗଳବାର ଶେଷ ପାଳିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ଆସିକା ବିଧାୟକ ସରୋଜ ପାଢୀ ଆସି ମା’ ତାରାତାରିଣୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପରିଡା କହିଥିଲେ ଯେ, ଆଗାମୀ ଦିନରେ ଓଡିଶାର ପ୍ରମୁଖ ଶକ୍ତିପୀଠଗୁଡିକୁ ନେଇ ଏକ ଶକ୍ତି କରିଡର କରାଯିବ। ଯାଜପୁର ବିରଜାଙ୍କ ପୀଠରୁ ଆରମ୍ଭ କରି କାକଟପୁର ମା’ ମଙ୍ଗଳା, ବାଣପୁର ମା ଭଗବତୀ, ଉଗ୍ରତାରା, ତାରାତାରିଣୀ, କାଳିଯାଇ, ଭୈରବୀ ଆଦି ପୀଠକୁ ନେଇ ଶକ୍ତି କରିଡର ଘୋଷଣା କରାଯିବ। ଏହାଦ୍ୱାରା ଭକ୍ତଙ୍କୁ ସହଜରେ ମା’ଙ୍କ ଦର୍ଶନ କରିବାର ସୁଯୋଗ ମିଳିବ।
ଆଗାମୀ ୨ ବର୍ଷ ଭିତରେ ଶକ୍ତିପୀଠ କରିଡର୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭକ୍ତଙ୍କ ସୁବିଧା ପାଇଁ ହେଲିକପ୍ଟର ବ୍ୟବସ୍ଥା ନେଇ ଯୋଜନା କରାଯାଇଛି। ରାଜ୍ୟରେ ଥିବା ସମସ୍ତ ଶକ୍ତିପୀଠକୁ ଏଥିରେ ଯୋଡ଼ାଯିବ। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ଘୋଷଣା।
Powered by Froala Editor