ହେଲମେଟ ପିନ୍ଧିନଥିବାରୁ ୧୦ଲକ୍ଷର ଚାଲାଣ କଟିଲା

ହେଲମେଟ୍ ପାଇଁ ୧୦ ଲକ୍ଷ ୫୦୦ ଟଙ୍କା ଫାଇନ୍। ହଁ ଗୁଜୁରାଟ ଅହମ୍ମଦାବାଦରୁ ଏମିତି ହିଁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ଜଣେ ବାଇକ୍ ଚାଳକ ଯିଏକି ଜଣେ ଆଇନ୍ ଛାତ୍ର, ତାଙ୍କ ପାଖରୁ ଟ୍ରାଫିକ୍ ପୋଲିସ୍ ୧୦ ଲକ୍ଷ ୫୦୦ ଟଙ୍କା ଫାଇନ୍ କାଟିଛି। ଯାହାକୁ ଦେଖି ସେ ନିଜେ ମଧ୍ୟ ଚକିତ ହୋଇଯାଇଛନ୍ତି।
ସମ୍ପୃକ୍ତ ଛାତ୍ର ଜଣକ ଶାନ୍ତିପୁର ଟ୍ରାଫିକ ଛକରେ ବିନା ହେଲମେଟରେ ଯାତ୍ରା କରୁଥିଲେ । ତେଣୁ ଅନିଲଙ୍କୁ ଅଟକାଇଥିଲା ଟ୍ରାଫିକ୍ ପୋଲିସ୍। ପରେ ଟ୍ରାଫିକ ପୋଲିସ ଅନିଲଙ୍କର ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲା । ଏହାପରେ ଅନିଲଙ୍କୁ ଛାଡି ଦିଆଯାଇଥିଲା । କିଛି ସମୟ ପରେ ଜରିମାନା ପାଇଁ ଅନିଲଙ୍କ ପାଖକୁ ମେସେଜ ଯାଇଥିଲା । ସେ ଜରିମାନାର ପରିମାଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଟ୍ରାଫିକ ପୋଲିସ ୫୦୦ କିମ୍ବା ୧୦୦୦ ଟଙ୍କା ନୁହେଁ ବରଂ ୧୦ ଲକ୍ଷ ଟଙ୍କାର ଚାଲାଣ ଜାରି କରିଥିଲା। ଯାହାପରଠୁ ଆଇନ ଛାତ୍ରଙ୍କ ପରିବାର ଥାନାର ଚକ୍କର କାଟୁଛନ୍ତି।
ସୂଚନା ଅନୁଯାୟୀ, ଅନିଲଙ୍କୁ ପ୍ରଥମେ ୫୦୦ ଟଙ୍କା ଜରିମାନା କରାଯାଇଥିଲା, କିନ୍ତୁ କିଛି କ୍ଲାରିକାଲ୍ ଭୁଲ ଯୋଗୁଁ ଏହାକୁ ୧୦,୦୦,୫୦୦ ଟଙ୍କା ଭାବରେ ରେକର୍ଡ କରାଯାଇଥିଲା। ଏହି ଘଟଣାକୁ ପ୍ରାୟ ୧୧ମାସ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ କୌଣସି ସମାଧାନ ହୋଇପାରିନାହିଁ । ଅନିଲ ଆଇନ ବିଭାଗର ଚତୁର୍ଥ ସେମିଷ୍ଟାରର ଛାତ୍ର ହୋଇଥିବା ବେଳେ ତାଙ୍କ ବାପା ଜଣେ କ୍ଷୁଦ୍ର ବ୍ୟବସାୟୀ ।
ଅନିଲଙ୍କ କହିବାନୁଯାୟୀ, ସେ ଘରର ଖର୍ଚ୍ଚ ଉଠାଇବା ପାଇଁ ନିଜ ଘରଠାରୁ କିଛି ଦୂରରେ ଗୋଟିଏ ପାନ ଦୋକାନ କରିଛନ୍ତି । କିନ୍ତୁ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।
Powered by Froala Editor