୨୦ରୁ ଜେଇଇ ମେନ-୩, ୨୭ରୁ ଜେଇଇ ମେନ-୪
ଭୁବନେଶ୍ୱର: ଜୁଲାଇ ୨୦ରୁ ୨୫ ମଧ୍ୟରେ ଜେଇଇ ମେନ-୩ ଓ ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ଜେଇଇ ମେନ-୪ ଅନୁଷ୍ଠିତ ହେବ । ଦେଶର କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଏଭଳି ପଦକ୍ଷେପ ନେଇଛି । ଅନେକ ଛାତ୍ରଛାତ୍ରୀ ଜେଇଇ-ମେନ ପାଇଁ ଆବେଦନ କରିପାରି ନଥିଲେ । ତେଣୁ ସେମାନଙ୍କ ଭବିଷ୍ୟତକୁ ନଜରରେ ରଖି ପୁଣିଥରେ ଆବେଦନ ପ୍ରକ୍ରିୟା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଜେଇଇ ମେନ-୩ରେ ଭାଗ ନେବାକୁ ଥିବା ଆଶାୟୀ ଜୁଲାଇ ୬ରୁ ୮ ଏବଂ ଜେଇଇ ମେନ-୪ ପାଇଁ ଆଗ୍ରହୀ ପିଲାମାନେ ଜୁଲାଇ ୯ରୁ ୧୨ମଧ୍ୟରେ ଆବେଦନ କରିପାରିବେ । ତେବେ ଜେଇଇ ମେନ-୩ର ପେପର-୨ ତଥା ବି.ଆର୍କିଟେକ ଓ ବି.ପ୍ଲାନିଂ ଲାଗି ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ ନାହିଁ । ସେମାନେ କେବଳ ଜେଇଇ ମେନ-୪ ଲାଗି ଆବେଦନ କରିପାରିବେ । ଜେଇଇ ମେନ-୩ରେ ୬ ଲକ୍ଷ ୮୦ ହଜାର ଓ ଜେଇଇ ମେନ-୪ରେ ୬ ଲକ୍ଷ ୯ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ଆଡମିଟ କାର୍ଡ ଓ ପରୀକ୍ଷାଫଳ ପ୍ରକାଶ ସମ୍ପର୍କରେ ଜେଇଇ ମେନ ପୋର୍ଟାଲରେ ଜଣାଇ ଦିଆଯିବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor