ଆଉ ଦିଆଯିବନି ପ୍ରଥମ ଡୋଜ୍ କୋଭିସିଲ୍ଡ ଟିକା
ଭୁବନେଶ୍ୱର: ଜୁଲାଇ ମାସରେ ଆଉ ପ୍ରଥମ ଡୋଜ୍ କୋଭିସିଲ୍ଡ ଟିକା ଦିଆଯିବନି । ଏ ମାସରେ ରାଜ୍ୟକୁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଆସିବାକୁ ଥିବା ବେଳେ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ରହିଛନ୍ତି ୨୮ ଲକ୍ଷରୁ ଅଧିକ । ତେଣୁ ଦ୍ୱିତୀୟ ଡୋଜ୍କୁ ଅଗ୍ରାଧିକାର ଭିତ୍ତିରେ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି ।
ସଂଶୋଧିତ ନିୟମ ଅନୁସାରେ, କୋଭିସିଲ୍ଡ ଟିକା ନେବାର ୧୨-୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ଦିଆଯିବ । ରାଜ୍ୟର ୨୮ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ । ଜୁଲାଇ ଆରମ୍ଭରୁ ରାଜ୍ୟରେ ଦୈନିକ ୩ ଲକ୍ଷ ଡୋଜ୍ ଦିଆଯାଉଛି । ଗତକାଲି ୪ ଲକ୍ଷ ୨ ହଜାର ଡୋଜ୍ ଦିଆଯାଇଥିଲା । ଏବେ ସନ୍ଧ୍ୟା ସୁଦ୍ଧା ୬.୧୪ ଲକ୍ଷ ଡୋଜ୍ ମହଜୁଦ୍ ରହିଛି । ଯାହା ଆସନ୍ତା ଦୁଇ ଦିନ ମଧ୍ୟରେ ସରିଯିବ । ତେବେ ଏ ମାସ ଟିକାକରଣ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ଟିକା ଆସନ୍ତା ୧୫ ତାରିଖରେ ପହଞ୍ଚିବ । ତେଣୁ ରାଜ୍ୟରେ ୯-୧୫ ତାରିଖ ମଧ୍ୟରେ ଟିକାର ଆଉ ଷ୍ଟକ (ମହଜୁଦ୍) ରହିବନି । ତେଣୁ ଜୁଲାଇ ମାସ ପାଇଁ ଆଉ ୧୫ ଲକ୍ଷ ଅତିରିକ୍ତ ଟିକା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
ମଙ୍ଗଳବାର ୧୬୭୫ଟି କେନ୍ଦ୍ରରେ ଟିକାକରଣ ହୋଇଥିଲା ରାଜ୍ୟରେ । ୩ ଲକ୍ଷ ୪୩ ହଜାର ୮୬୨ ଜଣ ଟିକା ନେଇଛନ୍ତି । ଆସନ୍ତା କାଲି ୧୦୦୬ଟି କେନ୍ଦ୍ରରେ ଟିକାକରଣ ହେବ । ୩ ଲକ୍ଷ ୪୫ ହଜାର ୨୯୦ କୋଭିସିଲ୍ଡ ଟିକା ଓ ୩ ଲକ୍ଷ ୪୦ ହଜାର ୨୬୦ ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ୍ ରହିଛି । ୧୮ ବର୍ଷରୁ ଅଧିକ ବର୍ଷ ବୟସର ୧ ଲକ୍ଷ ୬୭ ହଜାର ୨୧୫ ଜଣ ପ୍ରଥମ ଡୋଜ୍ ନେଇଛନ୍ତି । ୪୫ ବର୍ଷରୁ ଅଧିକ ବୟସର ୧ ଲକ୍ଷ ୩୨ ହଜାର ୯୩୨ ଜଣ ଟିକା ନେଇଛନ୍ତି ।
Powered by Froala Editor