୧୬,୯୬୦ ଟିକା ନେଇ ବି କରୋନାରେ ସଂକ୍ରମିତ
ଭୁବନେଶ୍ୱର: ରାଜ୍ୟରେ ଯେତିକି ସଂଖ୍ୟକ କରୋନା ଟିକାର ଡୋଜ ଦିଆଯାଇଛି ତହିଁରୁ ମାତ୍ର ୦.୧୩ ପ୍ରତିଶତ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧କୋଟି ୨୪ଲକ୍ଷ ୯୧ହଜାର ୫୦୨ ଡୋଜ୍ ଟିକା ଦିଆଯାଇଥିବା ବେଳେ ତହିଁରୁ ୧୬,୯୬୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ଟିକା ନେବା ପରେ ସଂକ୍ରମଣ(ବ୍ରେକ୍ ଥ୍ରୁ ଇନଫେକସନ) ପାଇଁ ରାଜ୍ୟ ସରକାର ନିକଟରେ ଏକ କମିଟି ଗଠନ କରିଥିଲେ । କମିଟିର ପ୍ରଥମ ବୈଠକରେ ଜିଲ୍ଲାସ୍ତରରୁ ଏହି ବ୍ୟକ୍ତିମାନଙ୍କ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା । ରାଜ୍ୟରେ ୧କୋଟି ୪୩ଲକ୍ଷ ୭୭ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୧୫୪ଜଣ ସଂକ୍ରମିତ ହୋଇଛନ୍ତି । ଯାହାର ହାର ହେଉଛି ୦.୦୯ ପ୍ରତିଶତ । ସେହିପରି ୨୪ଲକ୍ଷ ୪୮ହଜାର ୪୨୫ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଏଥିରେ ୭୮୦୬ଜଣ ସଂକ୍ରମିତ ହୋଇଥିବା ବେଳେ ଏହାର ହାର ହେଉଛି ୦.୩୧ ପ୍ରତିଶତ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଟିକା ନେଇ ଯେତିକି ସଂଖ୍ୟକ ଲୋକ ପଜିଟିଭ୍ ହୋଇଛନ୍ତି, ତହିଁରେ ସଂଶୋଧନ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଡବଲ ଡୋଜ୍ ଟିକା ନେବାର ୧୪ଦିନ ପରେ ଯେଉଁମାନେ କରୋନାରେ ସଂକ୍ରମିତ ହେବେ ସେମାନଙ୍କୁ ବ୍ରେକ୍ ଥ୍ରୁ ସଂକ୍ରମଣ ବୋଲି ଧରିବାକୁ ହେବ । ତେଣୁ ରାଜ୍ୟରେ ଦୁଇଟି ଡୋଜ୍ ଟିକା ନେବା ପରେ କେତିକି ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି ତାହାର ଏକ ସଂଶୋଧିତ ତାଲିକା ପରବର୍ତୀ ସମୟରେ ପ୍ରକାଶିତ ହେବ ବୋଲି ସୂଚନା ମିଳିଛି ।
Powered by Froala Editor