ଖୁବଶୀଘ୍ର ପୂରଣ ହେବ ଖାଲି ପଡ଼ିଥିବା ୧୦ ହଜାର ଶିକ୍ଷକ ପଦ
ଭୁବନେଶ୍ୱର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ ହଜାର ଶିକ୍ଷକ ପଦ ଖୁବଶୀଘ୍ର ପୂରଣ ହେବ । ୪୪୪୫ ହିନ୍ଦୀ, ସଂସ୍କୃତ, ପିଇଟି(ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କ ସମେତ ୬ ହଜାର ଟିଜିଟି (ଟ୍ରେଣ୍ଡ ଗ୍ରାଜୁଏଟ ଟିଚର) ନିଯୁକ୍ତି ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ । ଏହି ପ୍ରବେଶିକା ପରୀକ୍ଷା ସିବିଟି(କମ୍ପୁ୍ୟଟର ବେସଡ ଟେଷ୍ଟ) ମାଧ୍ୟମରେ ହେବ । ସିବିଟି ମାଧ୍ୟମରେ ପରୀକ୍ଷା କରିବା ଲାଗି ଏକ ସ୍ୱତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବ ଏବଂ ପରୀକ୍ଷା ଫଳ ଆଧାରରେ ଶିକ୍ଷକମାନେ ନିଯୁକ୍ତି ପାଇବେ । ପୂର୍ବରୁ ଯେତେଥର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଛି ତାହା ଯୋଗ୍ୟତା ତଥା କ୍ୟାରିଅର ମାର୍କିଂ ଆଧାରରେ କରାଯାଇଛି । ତେବେ ଏଥର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ଘୋର ସଙ୍କଟ ଦେଖାଦେଇଛି । ଗତ ୫ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ହୋଇ ନ ଥିବାରୁ ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ଆଦି ବହୁ ଶିକ୍ଷକ ପଦ ଖାଲିପଡ଼ିଛି । ୨୦୧୬ରେ ହିନ୍ଦୀ, ସଂସ୍କୃତ, ପିଇଟି ଓ ୨୦୧୯-୨୦ରେ ଟିଜିଟିକୁ ମିଶାଇ ମୋଟ ୨୭୪୦ ପଦ ଲାଗି ନିଯୁକ୍ତି ପ୍ରକ୍ରିୟା ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୩୦୦ ଜଣ ନିଯୁକ୍ତ ହୋଇଥିଲେ । ସେବେଠାରୁ ଆଉ ନିଯୁକ୍ତି ହୋଇ ନ ଥିବାରୁ ଦିନକୁ ଦିନ ଖାଲି ଶିକ୍ଷକ ପଦ ବଢ଼ିବଢ଼ି ଚାଲିଛି । ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫେବ୍ରୁଆରି ପହିଲା ସୁଦ୍ଧା ରାଜ୍ୟରେ ୧୨ ହଜାର ୫୦୦ ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ପଦ ଖାଲି ରହିଛି ।
Powered by Froala Editor