ଏ ବର୍ଷ ରଥରେ ଛେରାପହଁରା କରିବେ ଗଜପତି
ଚଳିତ ବର୍ଷ ରଥଯାତ୍ରା ଓ ବାହୁଡ଼ାରେ ନିଜେ ଗଜପତି ଛେରାପହଁରା କରିବେ । ଏନେଇ ଗଜପତି ନିଜେ ସୂଚନା ଦେଇଛନ୍ତି। ଗଜପତି କହିଛନ୍ତି, ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ। ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ ବୋଲି ଗଜପତି କହିଛନ୍ତି।
ରଥାରୂଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ସେବାୟତ ନରହିବା ପାଇଁ ଦଇତାପତିଙ୍କ ସହ ଆଲୋଚନାରେ ଗଜପତି ଅନୁରୋଧ କରିଛନ୍ତି । କୋଭିଡ କଟକଣାର ନିୟମ ପାଳନ କରିବା ସହିତ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗଜପତି କହିଛନ୍ତି ।
ସେହିପରି ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାକୁ ଖାରଜ କରିଛନ୍ତି । ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଗଜପତି। ଶ୍ରୀମନ୍ଦିର ହେଉଛି ଆଦି ଓ ମୂଳପୀଠ। ଏହାର ସେବପୂଜା, ରୀତିନୀତି ଓ ପରମ୍ପରା ସ୍ଵତନ୍ତ୍ର ଏବଂ ଅନନ୍ୟ। ତେଣୁ ଅନ୍ୟ ସ୍ଥାନରେ ପ୍ରତୀକାତ୍ମକ ଭାବେ ବିଧି ପାଳନ କରାଯାଉ ବୋଲି ଗଜପତି କହିଛନ୍ତି।
Powered by Froala Editor