ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୪୮୨ କୋଟି ବରାଦ
ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ‘ଓଡ଼ିଆ ଅସ୍ମିତା’କୁ ସ୍ଥାନ ଦେଇଛନ୍ତି। ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବଜେଟ୍ ଉପସ୍ଥାପନ ବେଳେ ଏହା କହିଛନ୍ତି। ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୪୮୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।
ଓଡ଼ିଆ ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେହିପରି ଐତିହ୍ୟସ୍ଥଳର ସୁରକ୍ଷା ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗଠନ ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସେହିପରି ମହାପୁରୁଷ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତି ତାଙ୍କର ଜନ୍ମଭୂମିରେ ପ୍ରତିଷ୍ଠା ପାଇଁ ୧୦ କୋଟି ଟଙ୍କା ଅଟକଳ ରଖାଯାଇଛି।
ଗୁରୁ-ଶିଷ୍ୟ ପରଂପରାର ବଳିଷ୍ଠ ସଂକେତ କୁହାଯାଉଥିବା ସତ୍ୟବାଦୀର ବକୁଳବନକୁ ସରକାର ସମ୍ମାନ ଦେଇଛନ୍ତି। ପଞ୍ଚସଖାଙ୍କ ଦ୍ବାରା ୧୯୦୯ରେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷା ପ୍ରତିଷ୍ଠାନର ସ୍ମୁତିରେ ବକୁଳବନ ଉନ୍ନୟନ ଯୋଜନା ଆରମ୍ଭ କରାଯାଉଛି। ଏଥି ପାଇଁ ୫୦ କୋଟି ଟଙ୍କା ବଜେଟ୍ ରଖାଯାଇଛି।
ପଠାଣୀ ସାମନ୍ତଙ୍କ ସ୍ମୁତିରେ ତାଙ୍କ ଜନ୍ମପୀଠରେ ଏକ ପ୍ଲାନେଟାରିୟମ ପ୍ରତିଷ୍ଠା କରାଯିବ। ପ୍ରଥମ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ଲିଖିତ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶ କରିବ। ସ୍ବାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ଜନ୍ମସ୍ଥଳୀରେ ସ୍ମାରକୀ ନିର୍ମାଣ କରାଯିବ।
ସେହିପରି ରାଜ୍ୟର ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ୨୦୨୫ ଜାନୁଆରିରୁ ମାସିକ ୩୦୦୦୦ ଟଙ୍କା ପ୍ରଦାନ କରାଯିବ ।
ଯୋଜନା
ଓଡ଼ିଆ ନୂଆବର୍ଷ ପାଳନ
ଓଡ଼ିଆ ଅସ୍ମିତା ଭବନ
ଓଡ଼ିଆ ଅନୁବାଦ ଏକାଡେମୀ
ବିଶ୍ବସ୍ତରୀୟ ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ
ପାଇକ ବିଦ୍ରୋହ ସ୍ମାରକୀ
Powered by Froala Editor