ଗଛରୁ ଝୁଲୁଛି ୨ଟି ମୃତଦେହ
ଗଞ୍ଜାମ : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଅଲାରିଗଡ଼ ନିଷ୍ଟିପୁର ରାସ୍ତା ନିକଟ ଜଙ୍ଗଲର ଏକ ଗଛରୁ ୨ଟି ମୃତଦେହ ଜବତ ହୋଇଛି। ମୃତକ ଦୁଇଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ରହିଛନ୍ତି। ସ୍ଥାନୀୟ ଲୋକେ ଗଛରେ ଝୁଲନ୍ତା ମୃତଦେହ ଦେଖିବା ପରେ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦ୍ବୟକୁ ଜବତ କରିଛି। ମୃତକ ଦ୍ବୟ କିଛିଦିନ ତଳେ ନିଖୋଜ ହୋଇଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
ମୃତ ଯୁବକଜଣକ ପାଟପୁର ଥାନା ରାଧାଦେଈପୁର ଗ୍ରାମର ରାଜେନ୍ଦ୍ର ସାହୁ । ତାଙ୍କର ପାଖ ଗ୍ରାମର ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଉଭୟ ପୂର୍ବରୁ ବିବାହିତ ହୋଇଥିବା ବେଳେ ସେମାନଙ୍କର ଛୁଆପିଲା ସଂସାର ବି ରହିଛି। ମହିଳାଜଣଙ୍କର ୩ ଝିଅ ଥିବା ବେଳେ ରାଜେନ୍ଦ୍ରଙ୍କର ୩ ପୁଅ ଅଛନ୍ତି। ମହିଳାଙ୍କର ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନ ଥିବା ବେଳେ କିଛି ବର୍ଷ ହେବ ସେ ରାଧାଦେଈପୁର ଗ୍ରାମର ରାଜେନ୍ଦ୍ରଙ୍କ ଘରେ ନିଜ ପିଲାମାନଙ୍କ ସହ ଭଡ଼ାରେ ରହୁଥିଲେ।
ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଯାଇଥିଲା। ଏହାକୁ ଉଭୟ ପରିବାର ଲୋକେ ତୀବ୍ର ବିରୋଧ କରିଥିଲେ। ଫଳରେ ପରିବାରରେ ଉଠିଥିଲା ଝଡ଼, ଆରମ୍ଭ ହୋଇଥିଲା ଅଶାନ୍ତି। ନିଜ ମନର ମଣିଷକୁ ପାଖରେ ପାଇବାକୁ ଉଭୟ ନିଜ ଘର ପରିବାରକୁ ଛାଡ଼ିବାକୁ ପଛାଇଲେ ନାହିଁ । ଗତ ୧୯ ତାରିଖରୁ ଉଭୟ ଫେରାର ହୋଇ ଯାଇଥିଲେ।
Powered by Froala Editor