ଜର୍ମାନ ନାଗରିକ ହୋଇ ଭାରତରେ ୪ ଥର ବିଧାୟକ, ଦେବେ ୩୦ ଲକ୍ଷ ଜରିମାନା
୪ ଥର ହୋଇଛନ୍ତି ବିଧାୟକ । ସବୁ ସୁବିଧା ସୁଯୋଗ ପାଇଛନ୍ତି । କ୍ଷମତାର ଉପଭୋଗ କରିଛନ୍ତି । ହେଲେ ଭାରତୀୟ ନାଗରିକ ନୁହଁନ୍ତି ତେଲେଙ୍ଗାନାର ବରିଷ୍ଠ ଭାରତ ରାଷ୍ଟ୍ରୀୟ ସମିତି (ବିଆର୍ଏସ) ନେତା ଚେନ୍ନାମନେନୀ ରମେଶ । ତାଙ୍କ ନାଗରିକତ୍ୱକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଯାହାକି ସତ ପ୍ରମାଣିତ ହୋଇଛି । ସେ ଜଣେ ଜର୍ମାନୀ ନାଗରିକ ବୋଲି ପ୍ରମାଣ ମିଳିବା ପରେ କୋର୍ଟ ରମେଶଙ୍କୁ ୩୦ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି ।
ପ୍ରକାଶ ଯେ, ଆଇନ ଅନୁଯାୟୀ କୌଣସି ଅଣଭାରତୀୟ ନାଗରିକ ଦେଶରେ ନିର୍ବାଚନ ଲଢ଼ିପାରିବେ ନାହିଁ କିମ୍ବା ଭୋଟ ଦେଇପାରିବେ ନାହିଁ। ଚେନ୍ନାମନେନୀ ରମେଶଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ଆଦି ଶ୍ରୀନିବାସ୍ଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି, ରମେଶ ଜଣେ ଜର୍ମାନ ନାଗରିକ। ସେ ବେମୁଲାଓ୍ବାଡ଼ା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ନକଲି ଦସ୍ତାବିଜର ବ୍ୟବହାର କରି ଭାରତୀୟ ନାଗରିକ ଭାବେ ନିଜକୁ ପରିଚୟ ଦେଇଥିଲେ।
ଜର୍ମାନୀର ନାଗରିକ ଆଉ ନ ଥିବା ନେଇ ରମେଶ ଜର୍ମାନ ଦୂତାବାସରୁ ଦଲିଲ ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। ତେଣୁ ଉଚ୍ଚ ଅଦାଲତ ତାଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ସେଥିମଧ୍ୟରୁ ୨୫ ଲକ୍ଷ ଟଙ୍କା କଂଗ୍ରେସ ନେତା ଶ୍ରୀନିବାସଙ୍କୁ ଦିଆଯିବ।
୨୦୨୩ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ବେମୁଲାଓ୍ବାଡ଼ା ଆସନରୁ ରମେଶ କଂଗ୍ରେସ ପ୍ରାର୍ଥୀ ଶ୍ରୀନିବାସଙ୍କଠାରୁ ପରାସ୍ତ ହୋଇଥିଲେ। ସେ ବେମୁଲାଓ୍ବାଡ଼ା ଆସନରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
Powered by Froala Editor