ସଞ୍ଜୟ ମାଲହୋତ୍ରା ଆରବିଆଇ ନୂଆ ଗଭର୍ଣ୍ଣର ନିଯୁକ୍ତ
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତି ପାଇଛନ୍ତି ସଞ୍ଜୟ ମାଲହୋତ୍ରା। ସେ ବୁଧବାରଠାରୁ କାର୍ଯ୍ୟଭାର ଗ୍ରହଣ କରିବା ସହ ଏହି ପଦବୀରେ ୩ ବର୍ଷ ରହିବେ। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ମାଲହୋତ୍ରାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ବର୍ତ୍ତମାନର ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଥିବାବେଳେ ତାଙ୍କ ସ୍ଥାନରେ ୧୯୯୦ ବ୍ୟାଚ୍ର ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଫିସର ମାଲହୋତ୍ରା ଦାୟିତ୍ୱ ଗ୍ରହଣ କରିବେ।
ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେ ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ। ଏବେ ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ।
ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍ର ରାଜସ୍ଥାନ କ୍ୟାଡର ଆଇଏଏସ। ସେ ଆଇଆଇଟଇ କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ହୋଇଥିବାବେଳେ ଆମେରିକାର ପ୍ରିନ୍ସଟନ୍ ୟୁନିଭର୍ସିଟିରୁ ପବ୍ଲିକ୍ ପଲିସିରେ ସ୍ନାତକୋତ୍ତର ଡିଗ୍ରୀ କରିଛନ୍ତି। ମାଲହୋତ୍ରା ତାଙ୍କର ୩୩ ବର୍ଷରୁ ଊର୍ଦ୍ଧ୍ୱ କ୍ୟାରିୟର ମଧ୍ୟରେ ଶକ୍ତି, ଫାଇନାନ୍ସ ଏବଂ ଟିକସ ବିଭାଗ, ସୂଚନା ପ୍ରଯୁକ୍ତି, ଖଣି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଏବେ ସେ ଅର୍ଥ ମନ୍ତ୍ରଣାଳୟରେ ରାଜସ୍ବ ସଚିବ ରହିଛନ୍ତି। ଏହା ପୂର୍ବରୁ ସେ ଅର୍ଥ ମନ୍ତ୍ରଣାଳୟର ଆର୍ଥତ୍କ ସେବା ବିଭାଗ ସଚିବ ରହିଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଅର୍ଥ ଏବଂ ଟିକସ ବ୍ୟବସ୍ଥାରେ ତାଙ୍କର ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ସମ୍ପର୍କିତ ନୀତି ପ୍ରଣୟନରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
Powered by Froala Editor