‘ପୁଷ୍ପା ୨’ ପ୍ରିମିୟର ଶୋ’ରେ ଅଘଟଣ; ଦଳାଚକଟାରେ ମହିଳା ମୃତ
ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨’ ରିଲିଜ ବେଳେ ବଡ ଅଘଟଣ ଘଟିଛି । ଦଳାଚକଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।
ହାଇଦ୍ରାବାଦ୍ରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ। ତାଙ୍କୁ ଦେଖିବାକୁ ଏଠାରେ ବହୁ ସଂଖ୍ୟାର ପ୍ରଶଂସକ ଭିଡ଼ ଜମିଥିଲା। ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ପୁର୍ବରୁ ବହୁତ ଉତ୍ସାହ ଥିବା ବେଳେ ପ୍ରିମିୟର ଶୋ ଦେଖିବା ପାଇଁ ହଲ୍ ସାମ୍ନାରେ ରାତି ଅଧରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହାସହ ଅଲ୍ଲୁ ଅର୍ଜୁନଙ୍କ ଆସିବା ଖବର ଭିଡକୁ ଆହୁରି ଦୁଇ ଗୁଣିତ କରିଥିଲା। ଅଭିନେତାଙ୍କ ଗୋଟିଏ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା।
ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣେ ୩୯ ବର୍ଷୀୟ ମହିଳା ତାଙ୍କ ପୁଅ ସହ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହାଇଦ୍ରାବାଦ୍ ଦିଲସୁଖନଗରର ରେବତୀ ବୋଲି ଜଣାପଡିଛି। ପରିସ୍ଥିତି ଅସମ୍ଭାଳ ହେବାରୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠୀ ଚାର୍ଜ ମଧ୍ୟ କରିଥିଲା ।
ସୂଚନା ମୁତାବକ, ପୁଷ୍ପା-୨ ପ୍ରିମିୟର ଶୋ' ଦେଖିବା ପାଇଁ ରେବତୀ ତାଙ୍କ ସ୍ୱାମୀ ଭାସ୍କର ଓ ଦୁଇ ପିଲାଙ୍କୁ ନେଇ ଆସିଥିଲେ। ଏହି ସମୟରେ ଥିଏଟର ବାହାରେ ପ୍ରବଳ ଭିଡ ଜମିଥିଲା। ଲୋକେ ଫିଲ୍ମ ହଲ୍ର ଗେଟ୍ ଭାଙ୍ଗି ଦେଇଥିଲେ। ପ୍ରବଳ ଉତ୍ତେଜନା ଭିତରେ ରେବତୀ ଓ ତାଙ୍କ ପୁଅ ଚେତାଶୂନ୍ୟ ହୋଇପଡିଥିଲେ। ଏହାପରେ ଉଭୟଙ୍କୁ ଚିକିତ୍ସା ପାଇଁ ଦୁର୍ଗା ବାଇ ଦେଶମୁଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରେବତୀଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor