ଜାମା ମସଜିଦରେ ସର୍ଭେ ସମୟରେ ହିଂସା, ତିନି ଜଣଙ୍କ ମୃତ୍ୟୁ
ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସା ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି। ସର୍ଭେ ବେଳେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଏପରି ହୋଇଛି ଯେ ଏଥିରେ ତିନି ଜଣଙ୍କ ଜୀବନ ଯାଇ ଥିବାବେଳେ ୩୦ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଜିଲାର ଆରକ୍ଷୀ ଅଧିକ୍ଷକ(ଏସପି) ଏହି ଖବରକୁ ନିଶ୍ଚିତ କରିଛନ୍ତି। ତିନି ମୃତକ ହେଉଛନ୍ତି ନୋମାନ, ବିଲାଲ ଏବଂ ନଇମ।
ସ୍ଥାନୀୟ ଏସଆଇ କହିଛନ୍ତି ଯେ, ଘଟଣାସ୍ଥଳରେ ପ୍ରାୟ ୩୦୦ ଲୋକେ ଜମା ହୋଇଥିଲେ, ସେମାନଙ୍କ ପଛରେ ମଧ୍ୟ ଅନେକ ଲୋକ ଥିଲେ। ଏହି ଲୋକମାନେ ପୁଲିସକୁ ଟାର୍ଗେଟ କରିଥିଲେ। ଏଥିରେ ଏସଆଇ ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଶନିବାର ସକାଳେ ହାଇକୋର୍ଟଙ୍କ ଆଦେଶ ପରେ ଏକ ଟିମ୍ ଜାମା ମସଜିଦ ସର୍ଭେ କରିବାକୁ ଆସିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ପଥରମାଡ଼ ଆରମ୍ଭ କରିଦେଇଥିଲେ, ଯାହାପରେ ପୁଲିସ ଲୁହବୁହା ଗ୍ୟାସ ମାଡ଼ କରିଥିଲା। ଏହାପରେ ପ୍ରଦର୍ଶନକାରୀମାନେ କିଛି ସ୍ଥାନରେ ନିଆଁ ଲଗାଇ ପ୍ରତିବାଦ କରିଥିଲେ। ଏହି ସମୟରେ ପୁଲିସ ସହିତ ହିଂସାରେ ଏସପି ସମେତ ଅନେକ ପୁଲିସ ଅଧିକାରୀ ଆହତ ହୋଇଥିଲେ।
ଭାରତରେ ମୋଗଲ ସାମ୍ରାଜ୍ୟ ସମୟରେ ମସଜିଦ ନିର୍ମାଣ ପାଇଁ ଏଠାରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ହିନ୍ଦୁ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେଣୁ ଏହି ସ୍ଥାନରୁ ମସଜିଦ ଉଚ୍ଛେଦ ପାଇଁ ଦାବି କରିଥିଲେ ହିନ୍ଦୁ ପକ୍ଷ। ଏହି ଆବେଦନର ଶୁଣାଣି କରି କୋର୍ଟ ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Powered by Froala Editor