ଔଷଧ କମ୍ପାନୀରେ ରିଆକ୍ଟରରେ ବିସ୍ଫୋରଣ, ୩ ମୃତ, ୮ ଅସୁସ୍ଥ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ସାଙ୍ଗଲିସ୍ଥିତ ଏକ ଔଷଧ କମ୍ପାନୀରେ ଗ୍ୟାସ ଲିକ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ଜଣେ କମ୍ପାନୀର ରାତ୍ର ଜଗୁଆଳି ରହିଛନ୍ତି। ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ କମ୍ପାନୀର ମାଲିକ ରହିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ, କମ୍ପାନୀରେ ବୈଷୟିକ ତ୍ରୁଟି ଯୋଗୁ ଏକ ରିଆକ୍ଟରରେ ବିସ୍ଫୋରଣ ଘଟିଥିଲା। ଏହା ପରେ ଗ୍ୟାସ ଲିକ୍ ହେବାରୁ ଏହି ଅଘଟଣ ଘଟିଥିଲା। ଫୋରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଚଳାଇଛି।
ଗୁରୁବାର ସକାଳେ ମହାରାଷ୍ଟ୍ରର ତାରାପୁରଠାରେ ଥିବା ଅନ୍ୟ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।
Powered by Froala Editor