୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା

ଆସନ୍ତା ୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଭିଡିଓ କନଫରେନସିଂ ମାଧ୍ୟମରେ ଯୋଡି ହୋଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିକଟରେ ସରକାର ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଆୟୁଷ୍ମାନ ଭାରତରେ ସାମିଲ୍ କରିଛନ୍ତି।
ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ କି “ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଲାଗୁ ହେବ । ନିର୍ଦ୍ଦିଷ୍ଟ ଭାବରେ ୧ କୋଟି ପରିବାରର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ । ଏହା ସାରା ଭାରତ ବର୍ଷରେ ପାଖାପାଖି ୨୭ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ହେବ। ଲୋକ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ଏହା ଏକ କମନ୍ କାର୍ଡ ହେବ ।”
ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୯ ତାରିଖରେ ଆୟୁଷ୍ମାନ ଭାରତ ଯୋଜନା ସମେତ ଓଡ଼ିଶାରେ ଅନ୍ୟ ପ୍ରକଳ୍ପର ଶୁଭାରମ୍ଭ କରିବେ। ଆୟୁର୍ବେଦିକ ଦିବସରେ ସେ ଜଟଣୀରେ ଆୟୁର୍ବେଦ ଓ ନେଚରପାଥିର ବଡ଼ ହସ୍ପିଟାଲର ଉଦଘାଟନ କରିବେ। ଏହି ବୃହତ୍ ହସ୍ପିଟାଲ ୨୧ ଏକର ଜମିରେ ନିର୍ମାଣ ହୋଇଛି। ସେହିପରି ଗୋଠପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ ହେବ। ବରଗଡ଼ରେ କ୍ରିଟିକାଲ ହେଲ୍ଥ କେୟାର ୟୁନିଟ ଉଦ୍ଘାଟନ ହେବ। ଓଡ଼ିଶା ସମେତ ଦେଶର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ।
Powered by Froala Editor