ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ
ଶନିବାର ଭୋର ସମୟରେ ଇରାନ ଉପରେ ଅଚାନକ ଆକ୍ରମଣ କରି ପ୍ରତିଶୋଧ ନେଇଛି ଇସ୍ରାଏଲ। ଇରାନର ଏକାଧିକ ସହରରେ ୧୦୦ରୁ ଅଧିକ ଯୁଦ୍ଧ ବିମାନ ସହାୟତାରେ ଇସ୍ରାଏଲ ଆକାଶ ମାର୍ଗରୁ ରକେଟ୍ ମାଡ଼ କରିଛି, ଯେଉଁଥିରେ ଦୁଇ ଇରାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଇରାନର ଏକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବଂସ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଦାବି କରିଛି। ଇସ୍ରାଏଲର ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ଯୁଦ୍ଧ ସ୍ଥିତି ଆଉ ପାଦେ ଆଗକୁ ବଢ଼ିଛି। ଇରାନ ଇସ୍ରାଏଲ ଆକ୍ରମଣର ପ୍ରତିଜବାବ ଦେଲେ ଅନ୍ୟ ଦେଶଗୁଡ଼ିକ ଏଥିରେ ସାମିଲ ହେବା ସମ୍ଭାବନା ରହିଛି, ଯାହାଫଳରେ ସାରା ବିଶ୍ଵ ୩ୟ ବିଶ୍ଵଯୁଦ୍ଧ ଆଡକୁ ଅଗ୍ରସର ହୋଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞଙ୍କ ମହଲରେ ମତପ୍ରକାଶ ପାଇଛି।
ଶନିବାର ଭୋରୁ ଇସ୍ରାଏଲ ପକ୍ଷରୁ ୩ଟି ପର୍ଯ୍ୟାୟରେ ଆକ୍ରମଣ କରାଯାଇଛି। ପ୍ରଥମେ ଆଇଡିଏଫ ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରାଯାଇଥିଲା। ୨ୟ ଏବଂ ୩ୟ ପର୍ଯ୍ୟାୟରେ କ୍ଷେପଣାସ୍ତ୍ର, ଡ୍ରୋନ ଠିକଣା ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ରକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ଆକ୍ରମଣ ସମୟରେ ଜୋର୍ଡାନ, ଇରାକ ଏବଂ ସିରିୟା ଉପରେ ଇସ୍ରାଏଲ ଯୁଦ୍ଧ ବିମାନ ଉଡ଼ୁଥିବା ଦେଖିବାକୁ ମିଳିଥିଲା।
ଇସ୍ରାଏଲ ପ୍ରତି ବିପଦ ସୃଷ୍ଟିକାରୀ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୋଲ୍ଲାକୁ ଏହି ଛୋଟିଆ ଦେଶ ଧୂଳିସାତ କରିସାରିଛି। ଏହି ଦୁଇ ସଂଗଠନ ସହିତ ଯୁଦ୍ଧ ସମୟରେ ଗତ ଅକ୍ଟୋବର ୧ ତାରିଖରେ ଇରାନ ପକ୍ଷରୁ ଅତର୍କିତ ଭାବେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଯାହା ପରେ ଇସ୍ରାଏଲ କେବଳ ଚେତାବନୀ ଦେଇ ନୀରବ ରହିଥିଲା।
ଇରାନ ପକ୍ଷରୁ ମାସକ ପୂର୍ବରୁ ଇସ୍ରାଏଲ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଶନିବାର ଇସ୍ରାଏଲ ଏହାର କଡ଼ା ଜବାବ ଦେବା ସହ ମିସନ ସମାପ୍ତି ଘୋଷଣା କରିଛି। ଇସ୍ରାଏଲୀ ସେନା ପୁଷ୍ଟି କରିଛି ଯେ ଇରାନ ବିରୋଧରେ ତାର ଏୟାର ଷ୍ଟ୍ରାଇକ୍ ଶେଷ ହୋଇଛି। ଏହା ବାଦେ ଯଦି ଇରାନ ଉତ୍ତେଜନାର ନୂଆ ଅଧ୍ୟାୟ ଆରମ୍ଭ କରିବାର ଭୁଲ କରେ ତେବେ ଆମେ ଏହାର ଜବାବ ଦେବାକୁ ବାଧ୍ୟ ହେବୁ ବୋଲି ଇସ୍ରାଏଲ ସେନା ସଫାସଫା ଶୁଣାଇ ଦେଇଛି।
ଇରାନ ଚୁପ ରହିବ ନା ପ୍ରତିଆକ୍ରମଣ କରିବ ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଆମେରିକା ପକ୍ଷରୁ ଚେତାବନୀ ଦିଆଯାଇଛି। ଇସ୍ରାଏଲ ଗଣମାଧ୍ୟମ ଅନୁସାରେ, ଆମେରିକା ପକ୍ଷରୁ ଇରାନକୁ ପ୍ରତିଆକ୍ରମଣ ନ କରିବାକୁ କୁହାଯାଇଛି। ହ୍ବାଇଟହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଇସ୍ରାଏଲ ସମାନୁପାତ ଭାବେ ଆକ୍ରମଣ କରିଛି। ପ୍ରଥମେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିବାରୁ ଇସ୍ରାଏଲ ଏହାର ଜବାବ ଦେଇଛି। ଏହା ପରେ ଇରାନ ନୀରବ ରହିବା ଉଚିତ। ଉଭୟ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବା ଆବଶ୍ୟକ। ଅନ୍ୟଥା ଇରାନ ପ୍ରତିଆକ୍ରମଣ କଲେ ଆମେ ଇସ୍ରାଏଲକୁ ସୁରକ୍ଷା ଦେବୁ।
Powered by Froala Editor