ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର୍ ଗିରଫ, ୬ଟି ସେମି ଅଟୋମେଟିକ ପିସ୍ତଲ ଜବତ
କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରେ ସୁଟର୍ ଭାବେ କାମ କରୁଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ସାରା ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରି ଦିଲ୍ଲୀ ପୁଲିସ୍ର ସ୍ପେସାଲ ସେଲ୍ ସେମାନଙ୍କୁ ଗିରଫ କରିଛି। ସନ୍ଦେହ କରାଯାଉଛି ମହାରାଷ୍ଟ୍ରର ଏନସିପି ନେତା ବାବା ସିଦ୍ଦିକି ଓ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ରେ ଏମାନେ ସଂପୃକ୍ତ ଅଛନ୍ତି। ୪୮ ଘଣ୍ଟା ଧରି ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ପୁଲିସ୍ କରୁଥିବା ଧରପଗଡ଼ ପରେ ଏପରି ଗିରଫଦାରୀ ହୋଇଛି।
ଅଭିଯୁକ୍ତମାନଙ୍କ ବିରୋଧରେ ଏକାଧିକ ହତ୍ୟା, ବଟି ଆଦାୟ, ଅସ୍ତ୍ରଶସ୍ତ୍ର ଚାଲାଣରେ ସଂପୃକ୍ତ ଥିବାର ଅଭିଯୋଗ ଅଛି। ସେମାନଙ୍କଠାରୁ ୬ଟି ସେମି ଅଟୋମେଟିକ ପିସ୍ତଲ ବି ଜବତ କରାଯାଇଛି। ତାସହିତ ଜିପିଏସ୍ ଟ୍ରାକିଂ ଡିଭାଇସ୍ ମିଳିଛି। ବାବା ସିଦ୍ଦିକି ମର୍ଡର ନେଇ ସେମାନଙ୍କୁ ପଚରା ଉଚରା କରିଛି ଦିଲ୍ଲୀ ପୁଲିସ୍ ।
ସୂଚନା ଅନୁସାରେ ବୁଧବାର ଠାରୁ ଗିରଫଦାରୀ ଆରମ୍ଭ ହୋଇଛି। ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ସେମାନଙ୍କ ଟାର୍ଗେଟଗୁଡ଼ିକର ତାଲିକା ଦିଆଯାଇଥିଲା।
ହିଟ୍ ଲିଷ୍ଟରେ ଅନେକ ହାଇପ୍ରୋଫାଇଲ ଲୋକ ଅଛନ୍ତି। ହରିୟାଣାର ଜଣେ ବଡ଼ ବ୍ୟକ୍ତି ଥିବାର ବି ସୂଚନା ମିଳିଛି। ସେହିପରି ରାଜସ୍ଥାନର ବି ଜଣେ ବଡ଼ ବ୍ୟକ୍ତିକୁ ଟାର୍ଗେଟ କରାଯାଇଥିଲା। ଏଥିପାଇଁ ଲରେନସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ ଥିବା ଆରଜୁ ବିଷ୍ଣୋଇ ଅନୁମତି ଦେଇଥିବାର ଜଣାପଡ଼ିଛି।
Powered by Froala Editor