ମେଧାବୀ ଥିଲେ, ଫାଶୀରେ ଝୁଲିପଡିଲେ ଡିସିପିଙ୍କ ପୁଅ

ମହାରାଷ୍ଟ୍ରର ଡେପୁଟି ପୁଲିସ୍ କମିଶନରଙ୍କ ଏକମାତ୍ର ପୁଅ ଫାଶୀ ଦେଇ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ପୁଅର ନାମ ସାହିଲ ନନ୍ଦେନ୍ଦକର । ବୟସ ୧୭ବର୍ଷ । ରବିବାର ମଧ୍ୟରାତ୍ର ପରେ ଡିସିପିଙ୍କ ପୁଅ ସାହିଲ ନିଜ ରୁମର ଫ୍ୟାନ ଦ୍ୱାରା ବେକରେ ବେଡ ଶିଟ୍ ବାନ୍ଧି ଝୁଲି ପଡ଼ିଛନ୍ତି। ପରିବାର ଲୋକ ସକାଳୁ ଏକଥା ଜାଣିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ସାହିଲ ଡିସିପି ଶିଲବନ୍ତ ନନ୍ଦେନ୍ଦକରଙ୍କ ଏକମାତ୍ର ପୁଅ। ସାହିଲ ଏଚଏସ୍ସି ସହ ସମାନ୍ତରଳ ଭାବେ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ତାଙ୍କ ବ୍ୟାଚ୍ର ଅନ୍ୟତମ ମେଧାବୀ ଛାତ୍ର ଥିଲେ। ଗତ ରବିବାର ଡିସିପି ବାପା ମର୍ଣ୍ଣିଂୱାକରେ ଯିବା ପୂର୍ବରୁ ପୁଅକୁ ପାଠପଢ଼ିବା ପାଇଁ ଉଠାଇବାକୁ ଯାଇଥିଲେ। କିନ୍ତୁ ସାହିଲ କାବଟ ଖୋଲି ନଥିଲେ। ଶିଲବନ୍ତ ପୁଅ କୋଠରିର ପଛପାର୍ଶ୍ବରେ ଖୋଲାଥିବା ଝରକା ପାଖକୁ ଧାଇଁ ଆସିଥିଲେ। ଏହି ସମୟରେ ସେ କୋଠରି ଭିତରେ ଥିବା ସିଲିଂ ଫ୍ୟାନରେ ପୁଅର ଝୁଲନ୍ତା ଶରୀର ଦେଖି ସ୍ଥାଣୁ ପାଲଟି ଯାଇଥିଲେ।
ପରିବାରଲୋକ ସଙ୍ଗେସଙ୍ଗେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାହିଲଙ୍କ ମୃତଦେହ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା।
ହେଲେ ସେଠାରେ ଡାକ୍ତର ସାହିଲଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ ସାହିଲଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ସାହିଲଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ପୁଲିସ ସାହିଲର ମୃତଦେହ କୋଠରିରୁ ଉଦ୍ଧାର କରିବା ସମୟରେ ଦର୍ପଣରେ ମରାଯାଇଥିବା ଏକ କାଗଜ ଉପରେ ନଜର ପଡ଼ିଥିଲା। ଏଥିରେ ଲେଖାଥିଲା ଯେ “ଏହି ଜୀବନକୁ ମୁଁ ବହୁ ଉପଭୋଗ କରି ସାରିଛି। ମୁଁ ପୁଣି କିଛି ନୂଆ ଆରମ୍ଭ କରିବାକୁ ଚାହୁଁଛି। ”
Powered by Froala Editor