ବାଛୁରୀ ମାରି ଖାଇଲା କଲରାପତରିଆ, ଭୟରେ ଲୋକେ ଥରହର
ସମ୍ବଲପୁର ଜିଲ୍ଲା ବଡ଼ରମା-ଜମନକିରା ରେଞ୍ଜ ଗୋଏଲଡୁମା ଜଙ୍ଗଲରେ କଲରାପତରିଆ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି । କଲରାପତରିଆ ଭୟରେ ଅଞ୍ଚଳ ବାସୀ ଥରହର ହୋଇପଡିଛନ୍ତି । କାରଣ ଶନିବର ବାଘ ପୁଣି ଏକ ବାଛୁରୀ ଶିକାର କରିଛି । ବାଘଟି ବଡ଼ରମା ଅଭୟାରଣ୍ୟରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ବନ ବିଭାଗ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ ବି ବାଘ ଭୟରେ ଲୋକେ ଘରୁ ବାହାରିପାରୁନାହାନ୍ତି ।
ସୂଚନାଯୋଗ୍ୟ, ବଡ଼ରମା ଅଭୟାରଣ୍ୟରେ ପ୍ରାୟ ୨୫ରୁ ଅଧିକ କଲରାପତରିଆ ବାଘ ଥିବା ଗଣନାରୁ ଜଣାପଡ଼ିଥିଲା । ଏହି ବାଘ ଅଭୟାରଣ୍ୟରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ପାଟବନ୍ଦା ଗାଁର ଗ୍ରାବ୍ରେଲ ଏକ୍କା ଅନ୍ୟ କେତେଜଣ ଗ୍ରାମବାସୀଙ୍କ ସହ ଜଙ୍ଗଲକୁ ଗୁରୁବାର ଗୋରୁ ଚରାଇବାକୁ ନେଇଥିଲେ । ଗ୍ରାବ୍ରେଲଙ୍କ ଏକ ବାଛୁରୀ କେମିତି ଅଲଗା ହୋଇ ଜଙ୍ଗଲ ଭିତରକୁ ପଳାଇଥିଲା । ରାତିସାରା ବାଛୁରୀକୁ ଖୋଜାଖୋଜି କରିଥିଲେ ବି ତାର ପତ୍ତା ମିଳିନଥିଲା । ଶୁଗ୍ରବାର ସକାଳୁ ଗୋରୁ ଚରାଇବାକୁ ଯିବାବେଳେ ଗୋଏଲଡୁମା ଚଟାଣ ଘାଟ ପାଖ ନାଳ କଡ଼ରେ ବାଛୁରୀର କ୍ଷତାକ୍ତ ମୃତଦେହ ମିଳିଥିଲା । ବାଛୁରୀ ପାଖରେ ବାଘର ପାଦ ଚିହ୍ନ ଦେଖି ଲୋକେ ଡରି ଯାଇଥିଲେ ।
ଶନିବାର କେତେଜଣ ଗ୍ରାମବାସୀ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ବାଘ ବାଛୁରୀ ମାଂସ ଖାଉଥିବା ଦେଖିଥିଲେ । ବାଛୁରୀ ଶିକାର କରିବା ଘଟଣା ପ୍ରଘଟ ହେବା ପରେ ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଗାଁରେ ବାଘ ଆତଙ୍କ ଦେଖାଦେଇଛି । ସୂଚନା ପାଇ ଜମନକିରା ବନବିଭାଗ କର୍ମଚାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାଘର ଗତିବିଧି ଜାଣିବାକୁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି ।
Powered by Froala Editor