ପାହାଡ଼ି ଇଲାକାରେ ମହାମାରୀ ରୂପ ନେଇଛି ଝାଡ଼ାବାନ୍ତି, ମୃତ୍ୟୁ ସଂଖ୍ୟା ୬
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ର ପାହାଡି ଇଲାକାରେ ଅଣାୟତ୍ତ ହୋଇପଡିଲାଣି ଝାଡ଼ାବାନ୍ତି । ମୃତକଙ୍କ ସଂଖ୍ୟା ୬ ଛୁଇଁଥିବାବେଳେ ଆହୁରି ୩୦ରୁ ଅଧିକ ଆକ୍ରାନ୍ତ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଲୁଲେର ଗାଁର ସୁବର୍ଣ୍ଣା ନାୟକ(୩୫) । ଝାଡ଼ାବାନ୍ତିରେ ଆକ୍ରାନ୍ତ ପରେ ସୁବର୍ଣ୍ଣାଙ୍କୁ ପରିବାର ଲୋକ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ହୋଇଛି ।
ବାରା, ତୁଳସୀ, ଅଟଳଗୁଡ଼ାରେ ଏବେ ସୁଦ୍ଧା ମୋଟ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ଏହି ୩ ଗାଁରେ ଝାଡାବାନ୍ତି ଭୟଙକ୍ର ରୂପ ନେଇଥିବାବେଳେ କେତେକ ଅନ୍ଧବିଶ୍ୱାସର ଶିକାର ହୋଇ ଡୁମା ବାଡ଼ିବୁଢ଼ୀ ରାଗିଛି ବୋଲି କହୁଛନ୍ତି । ଫଳରେ ଗୁଣିଗାରେଡିର ସାହାରା ନେଇ ଝଡାଫୁଙ୍କା ମଧ୍ୟ କରୁଛନ୍ତି ।
ଅନ୍ୟପଟେ ସ୍ୱାସ୍ଥ୍ୟବିଭାଗର ଏକ ଟିମ୍ ଉପରୋକ୍ତ ଗାଁ ମାନଙ୍କରେ ପହଞ୍ôଚ ଚିକିତ୍ସା ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି, ଏହା ଜଙ୍ଗଲୀ ଛତୁ ତରକାରୀର ବିଷକ୍ରିୟା । ଏ ସମ୍ପର୍କରେ ସିଡିଏମ୍ଓ କହିଛନ୍ତି, ସଂକ୍ରମଣ ରୋଗ ବିଶେଷଜ୍ଞଙ୍କ ସହ ଡାକ୍ତର ଏବଂ କର୍ମଚାରୀ ୨ ଦିନ ହେବ ପ୍ରଭାବିତ ଅପହଞ୍ଚ ଗାଁରେ ସେବା ଯୋଗାଉଛନ୍ତି । ଆକ୍ରାନ୍ତଙ୍କ ରକ୍ତ, ମଳ, ମୂତ୍ର ନମୁନା ସଂଗ୍ରହ କରାଯାଉଛି । ଏଥିସହ ଗାଁଗୁଡ଼ିକରୁ ପିଇବା ପାଣି, ଖାଦ୍ୟ ନମୁନା ପରୀକ୍ଷା ଲାଗି ସଂଗ୍ରହ କରାଯାଇଛି ।
Powered by Froala Editor