ଶ୍ରୀମନ୍ଦିର ଦଧିନଉତିକୁ ବୃଦ୍ଧ ଚଢ଼ିଯିବା ଘଟଣା : ପରିବାର କହିଲେ ସେ ମାନସିକ ରୋଗୀ
ପୁରୀ ଶ୍ରୀମନ୍ଦିର ଦଧିନଉତି ଉପରକୁ ଜଣେ ବୃଦ୍ଧ ବୁଧବାର ରାତି ପ୍ରାୟ ୧୦.୩୦ରେ ଚଢିଯାଇଥିବା ଦେଖିବାକୁ ମିଳିଥିଲା । ଏ ଘଟଣାରେ ପୁଲିସ ତଦନ୍ତ କରିବା ପରେ ବ୍ୟକ୍ତିଙ୍କୁ ଛାଡିଦେଇଛି । ବୃଦ୍ଧ ଗଞ୍ଜାମ ଜିଲ୍ଲା ଛତ୍ରପୁରର ବଳରାମ ମହାରଣା ଓରଫ ବାୟା(୬୨) । ତାଙ୍କ ପରିବାର ଲୋକେ ପୁରୀରେ ପହଞ୍ଚିଥିଲେ । ପତ୍ନୀ ସୁକାନ୍ତି ମହାରଣା ଓ ୨ ପୁଅ ସିଂହଦ୍ୱାର ଥାନାରେ ପହଞ୍ଚିବା ପରେ ସେମାନଙ୍କୁ ପଚରାଉଚରା କରିଥିଲା ପୁଲିସ । ବଳରାମ ଜଣେ ମାନସିକ ରୋଗୀ ବୋଲି ପରିବାର କହିବା ପରେ ପୁଲିସ ତାଙ୍କୁ ଛାଡି ଦେଇଛି ।
ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ପରେ ବଳରାମ ଶ୍ରୀମନ୍ଦିର ଉପରକୁ ଚଢ଼ିଥିଲେ । ଅଁଳା ବେଢ଼ାଠାରେ ସେ ବୁଲୁଥିବା ବେଳେ ତାଙ୍କୁ କିଛି ସେବାୟତ ଓ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ଦେଖିଥିଲେ । ତେବେ କେତେବେଳେ ସେ ଉପରକୁ ଚଢ଼ି ଯାଇଥିଲେ କେହି ଜାଣି ପାରି ନ ଥିଲେ । ପରେ ଜଣେ ଚୂନରା ସେବାୟତଙ୍କ ସହଯୋଗରେ ବଳରାମଙ୍କୁ ତଳକୁ ଓହ୍ଲାଇ ଅଣା ଯାଇଥିଲା ।
ବଳରାମଙ୍କୁ ପଚାରିବାରୁ ସେ ମାନସିକ ଥିଲା ବୋଲି କହିଥିଲେ । ଭାବାବେଗରେ ସେ ଶ୍ରୀମନ୍ଦିର ଉପରେ ଚଢ଼ି ଯାଇଥିବା ପୁରୀ ଅତିରିକ୍ତ ଏସ୍ପି ସୁଶିଲ ମିଶ୍ର କହିଛନ୍ତି । ସେ କେଉଁ ବାଟେ ଶ୍ରୀମନ୍ଦିର ଉପରକୁ ଚଢ଼ିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାର ଯାଞ୍ଚ ଚାଲିଛି । ଚୂନରା ସେବାୟତ ଧ୍ୱଜା ବାନ୍ଧିବାକୁ ଚଢ଼ିବା ବେଳେ ସେ ନଜର କରୁଥିଲେ ବୋଲି କିଛି ଦେଖଣାହାରୀ କହିଛନ୍ତି ।
ଅନ୍ୟପଟେ ତାଙ୍କ ପରିବାର ଲୋକ କହିଛନ୍ତି ଯେ, ସେ ଜଣେ ମାନସିକ ରୋଗୀ । ଏପରିକି ସେ ଏଥିପାଇଁ ୧୦ ବର୍ଷ ତଳୁ ଔଷଧ ଖାଉଛନ୍ତି । ତେଣୁ ତାଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଛାଡ଼ି ଦିଆଯାଇଛି ।
ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଦଧିନଉତି ଉପରୁ ଉଦ୍ଧାର ବଳରାମ ମହାରଣା ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି । ସେ ବହୁବର୍ଷ ହେବ ଏମ୍କେସିଜି ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଛନ୍ତି । ଏହି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Powered by Froala Editor