୭୦୦ ଫୁଟ ଗଭୀର ଖାଲକୁ ଖସି ପଡିଲା ସେନା ଗାଡି, ୪ ସୈନ୍ୟଙ୍କ ମୃତ୍ୟୁ

ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାରୁ ୭୦୦ ଫୁଟ ଗଭୀର ଖାଲକୁ ଖସି ପଡିଛି ଗାଡି । ଏଥିରେ ୪ ଜଣ ଯବାନଙ୍କ ପ୍ରାଣହାନୀ ଘଟିଛି । ଦୁର୍ଘଟଣା ବାବଦରେ ସୂଚନା ପାଇବା ପରେ ସେନା ଅଧିକାରୀ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ।
ସୂଚନା ଅନୁସାରେ, ସେନାର ଏକ ଗାଡ଼ି କିଛି ସୈନ୍ୟଙ୍କୁ ନେଇ ପଶ୍ଚିମବଙ୍ଗ ପେଡୋଙ୍ଗରୁ ସିକ୍କିମର ଜୁଲୁକ ଯାଉଥିଲା। ଏହି ସମୟରେ ସିକ୍କିମର ପାକିଙ୍ଗ ଜିଲ୍ଲାର ରେଶମ ମାର୍ଗରେ ଦୁର୍ଘଟଣା ହୋଇଥିଲା। ଘାଟି ରାସ୍ତାରେ ଯିବା ସମୟରେ ଦୁର୍ଘଟଣା ଘଟିବାରୁ ସେନା ଗାଡି ପ୍ରାୟ ୭୦୦ରୁ ୮୦୦ ଫୁଟ ତଳକୁ ଖସି ପଡିଥିବା କୁହାଯାଉଛି। ଫଳରେ ୪ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଛି।
ମୃତକମାନେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର କାରିଗର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂହ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗାପାଣ୍ଡି ବୋଲି ଜଣାପଡିଛି। ସମସ୍ତ ସେନା କର୍ମଚାରୀ ପଶ୍ଚିମବଙ୍ଗର ବିନାଗୁରୀ ୟୁନିଟରେ ନିୟୋଜିତ ଥିଲେ।
ଗତ ବର୍ଷ ଲଦାଖରେ ମଧ୍ୟ ଏହିପରି ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା। ଅଗଷ୍ଟ ମାସରେ ଭାରତୀୟ ସେନାର ଏକ ଗାଡି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣା ଲେହ ନିକଟସ୍ଥ କ୍ୟାରୀ ଗ୍ରାମରେ ଘଟିଥିଲା । ଏଠାରେ ସେନା ଗାଡି ଖାଲରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୯ ଜଣ ସୈନିକ ପ୍ରାଣ ହରାଇଥିଲେ ।
Powered by Froala Editor