ବାର୍ଡ ଫ୍ଲୁ ତଦନ୍ତ : ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍
ବାର୍ଡ଼ ଫ୍ଲୁ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଥିମଧ୍ୟରେ ବୁଧବାର କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛନ୍ତି । ଏହି ଟିମ୍ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟରେ ନିଆ ଯାଇଥିବା ପଦକ୍ଷେପ ନେଇ ସେଂଟ୍ରାଲ ଟିମ୍କୁ ଅବଗତ କରାଯାଇଛି। କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ନମୁନା ଟେଷ୍ଟ ପାଇଁ ପଠାଯାଇଛି । ଏହା ସହ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି। କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା କଣ୍ଟାକ୍ଟରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।
‘ବାର୍ଡ଼ ଫ୍ଲୁ’କୁ ନେଇ ରାଜ୍ୟରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ କୁକୁଡ଼ା ମଡ଼କ ପରେ ସାମ୍ପୁଲ ଟେଷ୍ଟିଂ ପାଇଁ ପଠାଯାଇଛି । ଏହାର ନିୟନ୍ତ୍ରଣ ପାଇଁ ଏକାଧିକ ବିଭାଗର ସହାୟତା ଲୋଡ଼ା ଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମେଡିକାଲ କଲେଜରେ ଥିବା କମ୍ୟୁନିଟି ମେଡିସିନ୍ ବିଭାଗକୁ ଏହା ସହ ଯୋଡ଼ା ଯାଇଛି। କମ୍ୟୁନିଟି ମେଡିସିନ୍ ବିଭାଗ ଏହାର ସଂପୂର୍ଣ୍ଣ ତଦାରଖ କରିବ।ଜିଲ୍ଲାସ୍ତରୀୟ ଟିମ୍ ଘଟଣାସ୍ଥଳକୁ ଘନ ଘନ ଗସ୍ତ କରୁଛନ୍ତି।
Powered by Froala Editor