ସୁଭଦ୍ରା ପାଇଁ ଠେଲାପେଲା, ୨ ମହିଳା ଆହତ
ଏବେ ସବୁଠି ସୁଭଦ୍ରା ଯୋଜନାକୁ ନେଇ ହଲଚଲ । ଚଳିତ ମାସ ୧୭ ତାରିଖରୁ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରାଯିବା ଖବର ପ୍ରଚାର ହେବା ପରେ ନିର୍ଦ୍ଧାରିତ କେନ୍ଦ୍ର ମାନଙ୍କରେ ଫର୍ମ ପାଇଁ ଭିଡ ଜମୁଛି । ହେଲେ ଫର୍ମ ପାଇଁ ପାରାଦୀପ ଡାକଘରେ ଜଣେ ମହିଳା ଆହତ ହୋଇଛନ୍ତି ।
ଠେଲାପେଲାରେ ପାରାଦୀପ ପୌରାଞ୍ଚଳ ଅନ୍ତର୍ଗତ ଷଣ୍ଢକୁଦର ମମତା ବାରିକ ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡର ବୃଦ୍ଧାଙ୍ଗୁଠି ଫାଟି ଯାଇଛି । ସେ ଆଧାର କାର୍ଡ ଲିଙ୍କ୍ କରିବାକୁ ସକାଳ ୮ଟାରୁ ଆସି ଠିଆ ହୋଇଥିଲେ । ପରେ ପୋଷ୍ଟ୍ ଅଫିସରେ କହିଲେ ଧାଡ଼ିରେ ଆସ । ପୁରୁଷ ଓ ମହିଳାଙ୍କ ଅଲଗା ଅଲଗା ଧାଡି ପାଇଁ ପ୍ରବଳ ଠେଲାପେଲା ଦଳାଚକଟା ହୋଇଥିଲା । ଏଥିରେ ଆଙ୍ଗୁଠି ଫାଟି ଯାଇଥିଲା ।
ସୁଭଦ୍ରା ଯୋଜନାରେ ଆଧାର, ମୋବାଇଲ୍ ନମ୍ବର ଲିଙ୍କ କରିବା ପାଇଁ ହଠାତ ଶତାଧିକ ପୁରୁଷ, ମହିଳା ପୋଷ୍ଟ୍ ଅଫିସରେ ଭିଡ ଜମାଉଛନ୍ତି । ଏତେ ସଂଖ୍ୟାରେ ହିତାଧିକାରୀ ଆସିବା ଦେଖି ଡାକ ବିଭାଗର କର୍ମଚାରୀମାନେ ସ୍ଥିତି ନିୟନ୍ତ୍ରଣ କରିପାରି ନଥିଲେ । ଶେଷରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ।
ଅନ୍ୟପଟେ ଅନୁଗୁଳ ଜିଲ୍ଲା ଭୁବନରେ ମଧ୍ୟ ସୁଭଦ୍ରା ଫର୍ମ ପାଇଁ ଠେଲାପେଲାରେ ଜଣେ ମହିଳାଙ୍କ ହାତ ଭାଙ୍ଗିଯାଇଛି । ଅନେକ ସ୍ଥାନରେ ଏଭଳି ବିଶୃଙ୍ଖଳା ପରିସ୍ଥିତି ଉପୁଜୁଛି ।
Powered by Froala Editor