ବଟିକା ଖାଇ ବାନ୍ତି କଲେ ୬୯ ଛାତ୍ରୀ
ସକାଳୁ ସବୁ ଠିକ୍ଠାକ୍ ଥିଲା । କିନ୍ତୁ ମଧ୍ୟାହ୍ନଭୋଜନ ପରେ ହଠାତ୍ ଛାତ୍ରୀଙ୍କ ପେଟ ଖରାପ ହୋଇଥିଲା । ଜଣେ ପରେ ଜଣେ ବାନ୍ତି କରିଚାଲିଲେ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଆସନା ପଞ୍ଚାୟତ କେଡିଏଫ୍ ଆଦିବାସୀ ଆବାସିକ କନ୍ୟାଶ୍ରମରେ ଘଟିଛି ଏ ଅଘଟଣ । ମଧ୍ୟାହ୍ଣଭୋଜନ ଖାଇବା ପରେ ୬୯ଜଣ ଛାତ୍ରୀଙ୍କ ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଏ ସମ୍ପର୍କରେ କେଡିଏଫ୍ର ଅଧ୍ୟକ୍ଷ ସନ୍ତୋଷ ସାହୁ କହିଛନ୍ତି, ପୂର୍ବରୁ କେବେ ଏଭଳି ସମସ୍ୟା ହୋଇନି । ସୋମବାର ପୂର୍ବାହ୍ଣ ୧୧ଟା ବେଳେ ସ୍କୁଲ୍ ସମସ୍ତ ଛାତ୍ରୀଙ୍କୁ ଆଇରନ୍ ବାଟିକା ଖାଇବାକୁ ଦିଆଯାଇଥିଲା । ମଧ୍ୟାହ୍ଣଭୋଜନ ଖାଇବାର ଘଣ୍ଟାଏ ପରେ ଆରମ୍ଭ ହୋଇଥିଲା ବାନ୍ତି । ଜଣକ ପରେ ଜଣେ ୬୯ ଜଣ ଛାତ୍ରୀ ବାନ୍ତି କରି ଗୁରୁତର ହୋଇପଡିଥିଲେ । ସ୍କୁଲ୍ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ଡାକ୍ତରଖାନା ନେଇଥିଲେ । ପ୍ରଥାମିକ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।
ପିଲାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସ୍ୱତନ୍ତ୍ର ଡାକ୍ତର ନିୟୋଜିତ ଅଛନ୍ତି । ପିଲାମାନେ ଖାଇଥିବା ଆଇରନ୍ ବଟିକା ଯୋଗୁ ଏଭଳି ହୋଇଛି ନା’ ମଧ୍ୟାହ୍ଣଭୋଜନ ଖାଦ୍ୟ ଦ୍ୱାରା ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ପଷ୍ଟ ହେବ । ବିଡିଓ କପିଳେଶ୍ୱର ତାଣ୍ଡି, ତହସିଲଦାର ମେଡିକାଲ୍ରେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
Powered by Froala Editor